Categories: ଜାତୀୟ

ବିଧାୟକଙ୍କ ପେନ୍‌ସନ୍‌କୁ ନେଇ ମାନ୍‌ଙ୍କ ବଡ଼ ନିଷ୍ପତ୍ତି

ଚଣ୍ଡିଗଡ଼,୨୫।୩: ଶାସନ ଭାର ସମ୍ଭାଳିବା ପରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ୍‌ ଗୋଟିଏ ପରେ ଗୋଟିଏ ବଡ଼ ନିଷ୍ପତ୍ତି ନେଉଛନ୍ତି। ଇତିମଧ୍ୟରେ ଶୁକ୍ରବାର ବିଧାୟକଙ୍କୁ ନେଇ ସେ ଏକ ବଡ଼ ଘୋଷଣା କରିଛନ୍ତି। ମାନ୍‌ ବିଧାୟକଙ୍କ ପେନ୍‌ସନ୍‌ କ୍ଷେତ୍ରରେ ଏକ ପରିବର୍ତ୍ତନ ଆଣିଛନ୍ତି। ଏଣିକି ବିଧାୟକମାନେ ଥରେ ପେନ୍‌ସନ୍‌ ପାଇବେ ବୋଲି ସେ ଘୋଷଣା କରିଛନ୍ତି। ଏହି ନିର୍ଦ୍ଦେଶକ୍ରମେ ବର୍ତ୍ତମାନ ବିଧାୟକଙ୍କ ପେନ୍‌ସନ୍‌ ଫର୍ମୁଲାରେ ପରିବର୍ତ୍ତନ କରାଯିବ। ସୂଚନାଯୋଗ୍ୟ, ପଞ୍ଜାବରେ ଏପର୍ଯ୍ୟନ୍ତ ଏଭଳି ବ୍ୟବସ୍ଥା ରହିଛି କି କୌଣସି ବ୍ୟକ୍ତି ଯେତେଥର ବିଧାୟକ ହେବେ ସେତିକି ଥର ପେନ୍‌ସନ୍‌ର ପରିମାଣ ବଢ଼ିଯାଉଥିଲା। କିନ୍ତୁ ବର୍ତ୍ତମାନ ଥରେ ପେନ୍‌ସନ୍‌ ବ୍ୟବସ୍ଥା ଲାଗୁ ହେବ। ଦେଶରେ ବେରୋଜଗାରୀ ସବୁଠାରୁ ବଡ଼ ପ୍ରସଙ୍ଗ। ଯୁବକମାନେ ଡିଗ୍ରୀ ଧରି ଘରେ ବସିଛନ୍ତି। ତେଣୁ ଏସବୁ ସମସ୍ୟାର ସମାଧାନ ପାଇଁ ମାନ୍‌ ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି କୁହାଯାଉଛି। ସେ କହିଛନ୍ତି, ବିଧାୟକମାନେ ଯେତେଥର ଜିତନ୍ତୁ ନା କାହିଁକି ତାଙ୍କୁ କେବଳ ଗୋଟିଏ ଅବଧି ପାଇଁ ପେନ୍‌ସନ୍‌ ମିଳିବ। ଏତଦ୍‌ ବ୍ୟତୀତ ବିଧାୟକଙ୍କ ପାରିବାରିକ ପେନ୍‌ସନ୍‌ ମଧ୍ୟ ହ୍ରାସ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ବିଧାୟକଙ୍କ ପେନ୍‌ସନ୍‌ରେ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ କରାଯାଉଥିଲା। କିନ୍ତୁ ଏଭଳି ପଦକ୍ଷେପ ଦ୍ୱାରା ଏବେ କୋଟି କୋଟି ଟଙ୍କା ସଞ୍ଚୟ କରାଯାଇ ପଞ୍ଜାବ ଜନସାଧାରଣଙ୍କ ଉନ୍ନତିରେ ପାଇଁ ଖର୍ଚ୍ଚ କରାଯିବ ବୋଲି ମାନ୍‌ କହିଛନ୍ତି,।

 

Share