Categories: ଜାତୀୟ

ପଞ୍ଜାବ ସରକାର, ରାଜ୍ୟପାଳଙ୍କ ବିବାଦ ମଧ୍ୟରେ ବିଧାନସଭା ଅଧିବେଶନ ସ୍ଥଗିତ, ସୁପ୍ରିମକୋର୍ଟ ଯିବେ ମୁଖ୍ୟମନ୍ତ୍ରୀ ମାନ

ଚଣ୍ଡିଗଡ,୨୦।୧୦: ପଞ୍ଜାବରେ ଭଗବନ୍ତ ମାନ ସରକାର ଏବଂ ରାଜ୍ୟପାଳ ବନୱାରିଲାଲ ପୁରୋହିତଙ୍କ ବିବାଦ ମଧ୍ୟରେ ସ୍ବତନ୍ତ୍ର ବିଧାନସଭା ଅଧିବେଶନ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି। ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କ ଅନୁରୋଧ ପରେ ଅଧିବେଶନକୁ ସ୍ଥଗିତ କରାଯାଇଛି। ଏଥିସହ ଅକ୍ଟୋବର ୩୦ରେ ପଞ୍ଜାବ ସରକାର ରାଜ୍ୟପାଳଙ୍କ ବିରୋଧରେ ସୁପ୍ରିମକୋର୍ଟ ଯିବେ। ଏହି ଅଧିବେଶନ ବେଆଇନ ବୋଲି ରାଜ୍ୟପାଳ କହିଥିଲେ। ଏହା ପରେ ମୁଖ୍ୟମନ୍ତ୍ରୀ ମାନ ଅଧିବେଶନ ବନ୍ଦ କରିବାକୁ ନିବେଦନ କରିଥିଲେ। ଏଭଳି ପରିସ୍ଥିତିରେ ପୁଣି ଥରେ ପଞ୍ଜାବ ସରକାର ଏବଂ ରାଜ୍ୟପାଳଙ୍କ ମଧ୍ୟରେ ବିବାଦ ଦେଖାଯାଇଛି। ଦୁଇ ଦିନ ଡକାଯାଇଥିବା ବିଧାନସଭା ଅଧିବେଶନ ମଝିରୁ ବନ୍ଦ କରି ପଞ୍ଜାବ ସରକାର ରାଜ୍ୟପାଳଙ୍କ ବିରୋଧରେ ସୁପ୍ରିମକୋର୍ଟଙ୍କ ନିକଟକୁ ଯିବାକୁ ନିଷ୍ପତ୍ତି ନେଇଛନ୍ତି।

ବିଧାନସଭାରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ କହିଛନ୍ତି, ଆମେ ପଞ୍ଜାବର ଲୋକଙ୍କ ପାଇଁ ଏହି ବିଲ ଉପସ୍ଥାପନ କରିବାକୁ ଚାହୁଁଥିଲୁ, କିନ୍ତୁ ରାଜ୍ୟପାଳ ଏହି ବିଲ ପାସ କରିବାକୁ ମନା କରିଦେଇଛନ୍ତି ଏବଂ ଏହି ଅଧିବେଶନକୁ ବେଆଇନ ବୋଲି କହିଛନ୍ତି। ତେଣୁ ଆମେ ଏହି ଅଧିବେଶନକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖିଛୁ ଏବଂ ଅକ୍ଟୋବର ୩୦ରେ ସୁପ୍ରିମକୋର୍ଟ ଯିବୁ।

ସୂଚନାଯୋଗ୍ୟ, ପଞ୍ଜାବ ସରକାର ଦୁଇ ଦିନିଆ ବିଧାନସଭା ଅଧିବେଶନ ଡାକିଥିଲେ, କିନ୍ତୁ ରାଜ୍ୟପାଳ ବନୱାରିଲାଲ ପୁରୋହିତ ଏହାକୁ ବେଆଇନ ବୋଲି କହିଛନ୍ତି ଏବଂ ଯଦି ଅଧିବେଶନ ଅନୁଷ୍ଠିତ ହୁଏ ତେବେ ସେ ରାଷ୍ଟ୍ରପତିଙ୍କ ନିକଟକୁ ଯିବେ ବୋଲି କହିଥିଲେ। ଏଥି ସହିତ କଂଗ୍ରେସ ବାଚସ୍ପତିଙ୍କ ବିରୋଧରେ ବିରୋଧ କରି ଏହି ଅଧିବେଶନରେ ଖର୍ଚ୍ଚ ହୋଇଥିବା ଅର୍ଥର ହିସାବ ରଖିବାକୁ ଦାବି କରିଛି। ଏହାପୂର୍ବରୁ ପଞ୍ଜାବ କ୍ୟାବିନେଟ ମନ୍ତ୍ରୀ ଅମନ ଆରୋରା କହିଥିଲେ ଯେ ରାଜ୍ୟପାଳ ଏହି ଅଧିବେଶନକୁ ବେଆଇନ ବୋଲି କହିଛନ୍ତି। ଅଧିବେଶନ ଆଇନଗତ କି ବେଆଇନ ବୋଲି କୋର୍ଟ ନିଷ୍ପତ୍ତି ନେବେ।

Share