Categories: ଖେଳ

ସୟଦ ମୁସ୍ତାକ ଅଲୀ ଟି ୨୦ ଟୁର୍ନାମେଣ୍ଟ: ବରୋଦାକୁ ହରାଇ ପଞ୍ଜାବ ଚାମ୍ପିୟନ

ମୋହାଲି,୬ା୧୧: ଅନମୋଲ୍‌ପ୍ରୀତ୍‌ ସିଂଙ୍କ ଶତକ ଓ ଅର୍ଶଦୀପ ସିଂଙ୍କ ୪ ଉଇକେଟ ସଫଳତା ବଳରେ ବରୋଦାକୁ ୨୩ ରନ୍‌ରେ ପରାସ୍ତ କରି ସୟଦ ମୁସ୍ତାକ ଅଲୀ ଟି ୨୦ ଟୁର୍ନାମେଣ୍ଟରେ ଚାମ୍ପିୟନ ଆଖ୍ୟା ଅର୍ଜନ କରିଛି ପଞ୍ଜାବ। ମୋହାଲିରେ ଖେଳା ଯାଇଥିବା ଫାଇନାଲରେ ପ୍ରଥମେ ବ୍ୟାଟିଂ କରି ପଞ୍ଜାବ ୨୦ ଓଭରରେ ୭ ଉଇକେଟରେ ୨୨୩ ରନ୍‌ କରିଥିଲା। ଜବାବରେ ବରୋଦା ନିର୍ଦ୍ଧାରିତ ଓଭରରେ ୭ ଉଇକେଟ ହରାଇ ୨୦୩ ରନ୍‌ କରିଥିଲା।

ଟସ୍‌ ହାରି ବ୍ୟାଟିଂ କରିଥିବା ପଞ୍ଜାବ ୧୮ ରନ୍‌ ମଧ୍ୟରେ ଦୁଇ ଓପନର ଅଭିଷେକ ଶର୍ମା(୦) ଓ ପ୍ରଭସିମରନ୍‌ ସିଂ(୯)ଙ୍କ ଉଇକେଟ ହରାଇଥିଲା। ତେବେ ଅନମୋଲ୍‌ପ୍ରୀତ୍‌ ସିଂ(୧୧୩) ଓ ମନଦୀପ୍‌ ସିଂ (୩୨) ତୃତୀୟ ଉଇକେଟରେ ୬୨ ରନ୍‌ ଯୋଡିଥିଲେ। ମନଦୀପ୍‌ ଆଉଟ ହେବା ପରେ ମୁମ୍ବାଇ ଇଣ୍ଡିଆନ୍ସ ଖେଳାଳି ନେହାଲ ଓ୍ବଧେରା (୬୧*)ଙ୍କ ସହିତ ମିଶି ୧୩୮ ରନ୍‌ ଯୋଡିଥିଲେ ଅନମୋଲପ୍ରୀତ୍‌। ଓ୍ବଧେରା ୨୭ ବଲ୍‌ ଖେଳି ୬ ଚୌକା ଓ ୪ ଛକା ସହ ୬୧ ରନ୍‌ କରି ଶେଷ ଯାଏ ଅପରାଜିତ ରହିଥିବା ବେଳେ ଶେଷ ଓଭରରେ ରନ୍‌ଆଉଟ ହେବା ପୂର୍ବରୁ ଅନମୋଲପ୍ରୀତ୍‌ ୬୧ ବଲ୍‌ ଖେଳି ୧୦ ଚୌକା ଓ ୬ ଛକା ମାରିଥିଲେ। ବରୋଦା ପକ୍ଷରୁ କୃଣାଲ ପାଣ୍ଡ୍ୟା, ଶୋଏବ ଶୋପାରିୟା ଓ ଅତୀତ ସେଠ୍‌ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।

୨୨୪ ରନ୍‌ ଜବାବରେ ବରୋଦାର ଆରମ୍ଭ ମଧ୍ୟ ଭଲ ରହି ନଥିଲା। ଓପନର ଜ୍ୟୋସ୍ନିଲ ସିଂ ମାତ୍ର ୪ ରନ୍‌ର ପ୍ୟାଭିଲିୟନ୍‌ ଫେରିଥିଲେ। ଅନ୍ୟତମ ଓପନର ନିନାଦ ରାଠଓ୍ବା(୪୭) ଓ ଅଭିମନ୍ୟୁ ସିଂ (୬୧) ଦ୍ୱିତୀୟ ଉଇକେଟରେ ୭୨ ରନ୍‌ ଯୋଡିଥିଲେ। ପରେ କୃଣାଲ ପାଣ୍ଡ୍ୟା(୪୫) ଓ ବିଷ୍ଣୁ ସୋଲାଙ୍କି(୨୮) ରନ୍‌ କରିଥିଲେ ମଧ୍ୟ ୧୯ ତମ ଓଭରରେ ଅର୍ଶଦୀପ ସିଂ ଘାତକ ବୋଲିଂ କରିଥିଲେ। ଅନ୍ତିମ ଦୁଇ ଓଭରରେ ୩୫ ରନ୍‌ ଆବଶ୍ୟକ ଥିବା ବେଳେ ଅର୍ଶଦୀପ ୧୯ ତମ ଓଭରରେ ୪ ରନ୍‌ ଦେଇ ୩ ଉଇକେଟ ନେଇଥିଲେ। ଶେଷ ଓଭରରେ ହରପ୍ରୀତ ବ୍ରାରଙ୍କ ବଲ୍‌ରେ ବିଷ୍ଣୁ ସୋଲାଙ୍କି ଆଉଟ ହେବା ସହିତ ପଞ୍ଜାବ ପ୍ରଥମ ଥର ପାଇଁ ସୟଦ ମୁସ୍ତାକ ଅଲୀ ଟି ୨୦ ଟୁର୍ନାମେଣ୍ଟ ହାସଲ କରିଛି। ଅନମୋଲପ୍ରୀତ ସିଂଙ୍କୁ ପ୍ଲେୟର ଅଫ୍‌ ଦ ମ୍ୟାଚ୍‌ ଓ ଅଭିଷେକ ଶର୍ମାଙ୍କୁ ପ୍ଲେୟର ଅଫ୍‌ ଦ ଟୁର୍ନାମେଣ୍ଟ ଘୋଷଣା କରାଯାଇଥିଲା।

Share