Categories: ଫୁରସତ

୨୦ ବର୍ଷ ପରେ ପଞ୍ଜାବୀ ବାପା, ଜାପାନୀ ପୁଅଙ୍କ ମିଳନ

ଅମୃତସର: ପଞ୍ଜାବର ଅମୃତସର ଜିଲାରେ ସୁଖପାଲ ସିଂ ନାମକ ଜଣେ ବ୍ୟକ୍ତି ଦୀର୍ଘ ୨୦ ବର୍ଷ ପରେ ନିଜ ପୁଅ ରିନ୍‌ ତକାହାତା(୨୧)ଙ୍କୁ ଭେଟିଛନ୍ତି। ସେ ୨୦ ବର୍ଷ ପୂର୍ବେ ନିଜ ପ୍ରଥମ ସ୍ତ୍ରୀ ସାଚି ତକାହାତା ଓ ତାଙ୍କ ପୁଅ ରିନ୍‌ଙ୍କୁ ଜାପାନରେ ଛାଡି ଚାଲିଆସିଥିଲେ। ଜାପାନର ଓସାକା ବିଶ୍ୱବିଦ୍ୟାଳୟର ଛାତ୍ର ରିନ୍‌ ନିଜର ଏକ ଆସାଇନ୍‌ମେଣ୍ଟ ଯୋଗୁ ଅମୃତସରରେ ତାଙ୍କ ବାପାଙ୍କୁ ଭେଟିବାକୁ ଆସିଥିଲେ। ସେ ଚଳିତ ବର୍ଷ ରାଖୀ ପୂର୍ଣ୍ଣିମାର ଗୋଟିଏ ଦିନ ପୂର୍ବରୁ ଅମୃତସରରେ ପହଞ୍ଚିଥିଲେ। ତେବେ ତାଙ୍କ ନିକଟରେ ବାପାଙ୍କ ନାମ ଏବଂ ପୁରୁଣା ଠିକଣା ଥିଲା। ବାପାଙ୍କୁ ଖୋଜିବା ପାଇଁ ମା’ ସାଚି ପୁଅ ରିନ୍‌ଙ୍କୁ କିଛି ପୁରୁଣା ଫଟୋ ମଧ୍ୟ ଦେଇଥିଲେ।
ବର୍ଷ ପରେ ନିଜ ପୁଅ ରିନ୍‌ଙ୍କୁ ନିକଟରେ ପାଇ ସୁଖପାଲ ଖୁସିରେ ବିଭୋର ହୋଇପଡିଥିଲେ। ବାପାଙ୍କୁ ଖୋଜିବା ନିଷ୍ପତ୍ତି ନେଇ ରିନ୍‌ କହିଛନ୍ତି, ବିଶ୍ୱବିଦ୍ୟାଳୟରେ ତାଙ୍କୁ ଏକ ଫ୍ୟାମିଲି ଟ୍ରି ପ୍ରସ୍ତୁତ କରିବା ପାଇଁ ଆସାଇନ୍‌ମେଣ୍ଟ ଦିଆଯାଇଥିଲା। କିନ୍ତୁ ସେ ତାଙ୍କ ମା’ ସାଚିଙ୍କ ପରିବାରର ସମସ୍ତଙ୍କୁ ଚିହ୍ନିଥିବାବେଳେ ବାପା ସୁଖପାଲଙ୍କ ପରିବାରର କାହାକୁ ଚିହ୍ନି ନ ଥିଲେ। ତେଣୁ ସେ ବାପା ଓ ତାଙ୍କ ପରିବାର ବିଷୟରେ ଅଧିକ ଜାଣିବାକୁ ଏହି ଲମ୍ବାଯାତ୍ରା କରିଥିବା ରିନ୍‌ କହିଛନ୍ତି।
ଥାଇଲାଣ୍ଡରେ ସାଚି ତକାହାତା ନାମ୍ନୀ ଜଣେ ଜାପାନୀ ମହିଳାଙ୍କ ପ୍ରେମରେ ପଡ଼ିଥିଲେ। ୨୦୦୨ରେ ଉଭୟ ସୁଖପାଲ ଓ ସାଚି ପରସ୍ପରକୁ ବିବାହ କରି ଟୋକିଓରେ ରହୁଥିଲେ। ରିନ୍‌ ୨୦୦୩ରେ ଜନ୍ମ ହୋଇଥିଲେ। ତେବେ ୨୦୦୪ରେ ସୁଖପାଲ ଏବଂ ସାଚିଙ୍କ ମଧ୍ୟରେ ପାରିବାରିକ ଅସନ୍ତୋଷ ଦେଖାଦେଇଥିଲା। ସେତେବେଳେ ଭୁଲ୍‌ ବୁଝାମଣା ଯୋଗୁ ଉଭୟ ଅଲଗା ହୋଇଯାଇଥିଲେ। ସୁଖପାଲ ଭାରତ ଆସିଯାଇଥିବାବେଳେ ସାଚି ପୁଅ ରିନ୍‌ଙ୍କ ସହ ଜାପାନରେ ରହିଲେ। ପରେ ସୁଖପାଲ ୨୦୦୭ରେ ପଞ୍ଜାବର ଅମୃତସର ନିବାସୀ ଗୁରୁବିନ୍ଦରଜିତ୍‌ କୌରଙ୍କୁ ବିବାହ କରିଥିଲେ। ସୁଖପାଲ ଏବଂ ଗୁରୁବିନ୍ଦରଜିତଙ୍କ ଅଭ୍‌ଲିନ ନାମ୍ନୀ ଜଣେ ଝିଅ ମଧ୍ୟ ଅଛନ୍ତି। ଚଳିତ ରାଖୀ ପୂର୍ଣ୍ଣିମାରେ ଅଭ୍‌ଲିନ୍‌ ତାଙ୍କ ଜାପାନୀ ଭାଇ ରିନ୍‌ଙ୍କୁ ରାଖୀ ବାନ୍ଧିଥିଲେ ଏବଂ ଗୁରୁବିନ୍ଦରଜିତ୍‌ ରିନ୍‌ଙ୍କୁ ନିଜର ପୁଅ ଭାବେ ସ୍ବାଗତ କରିଥିଲେ। ରିନ୍‌ କହିଛନ୍ତି, ସେ ତାଙ୍କ ବାପା ଓ ପରିବାରକୁ ଭେଟିବା ପାଇଁ ନିୟମିତ ଭାବେ ଭାରତ ଆସିବେ।

Share