Advertisement

କିଣା ଆଓ୍ବାର୍ଡ: ଭାଜପା

ଭୁବନେଶ୍ବର,୭।୯(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନ ମିଳିବା ପରେ ସେ ଭୁବନେଶ୍ୱର ଫେରିଛନ୍ତି। ତାଙ୍କୁ ସ୍ବାଗତ କରିବା ଲାଗି ହଜାର ହଜାର ସଂଖ୍ୟାରେ ବିଜେଡି କର୍ମୀ ଭୁବନେଶ୍ୱରରେ ଛାଉଣି ହୋଇଯାଇଛନ୍ତି। ହେଲେ ଏହାକୁ କଡ଼ା ଭାଷାରେ ବିରୋଧୀ ସମାଲୋଚନା କରିଛନ୍ତି । ନବୀନବାବୁ କିଣା ଆଓ୍ବାର୍ଡ ପାଇଛନ୍ତି। ଏହା କେତେ ଟଙ୍କାରେ କିଣିଛନ୍ତି ତାହା ଜଣାନାହିଁ ବୋଲି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି। ସେ କହିଛନ୍ତି, ଯେଉଁ ସଂସ୍ଥାକୁ ଭାରତରେ କେହି ଜାଣିନାହାନ୍ତି ସିଏ ସେବା ସାଧକ ଆଓ୍ବାର୍ଡ ଦେଇଛନ୍ତି, ଯାହା ଆମ ଓଡ଼ିଶା ପାଇଁ ବାଧକ। ନିର୍ବାଚନ ପାଖେଇ ଆସିଲେ ନବୀନବାବୁ ଏମିତି ଗୋଟେ ଗୋଟେ ଆଓ୍ବାର୍ଡ ନେଇଆସନ୍ତି। ଗତଥର ମଧ୍ୟ ଏପରି କରିଥିଲେ। ତେବେ ଏହାର କିଛି ପ୍ରଭାବ ପଡ଼ିବ ନାହିଁ। ନବୀନବାବୁଙ୍କ ଏହି ଡ୍ରାମାକୁ ଲୋକେ ବୁଝିସାରିଛନ୍ତି। ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦେବା ଏକ ପ୍ରହସନ ବୋଲି ସେ କହିଛନ୍ତି।
ବରିଷ୍ଠ ନେତା ତଥା ବିଧାୟକ ସୁରେଶ କୁମାର ରାଉତରାୟ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କୁ ଗୋଟେ ମାମୁଲି ପ୍ରାଇଜ୍‌ ମିଳିଛି। ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା ହ୍ରାସ ପାଇଲାଣି। ସେହି ଲୋକପ୍ରିୟତା କମିନି ବୋଲି ଦେଖାଇହେବା ପାଇଁ ଏମିତି କାର୍ଯ୍ୟକ୍ରମ କରୁଛନ୍ତି। ପ୍ରଥମେ ଦିଲ୍ଲୀକୁ ଲୋକ ବୁହାଇକି ନେଲେ ତା’ପରେ ସାରା ଓଡ଼ିଶାରୁ ଲୋକଙ୍କୁ ବୁହାଇ ଆଣି ବିମାନବନ୍ଦରରେ ପହଞ୍ଚାଇଲେ ବୋଲି ସୁର କହିଛନ୍ତି। ବିଜେଡି ବରିଷ୍ଠ ନେତା ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି, ମୁଖ୍ୟମନ୍ତ୍ରୀ ଓଡ଼ିଶାର ସାଢ଼େ ୪ କୋଟି ଲୋକଙ୍କ କାମ କରିବା ଉପରେ ଗୁରୁତ୍ୱ ଦେଇଆସୁଛନ୍ତି। ତେଣୁ ତାଙ୍କୁ ଓଡ଼ିଶାବାସୀଙ୍କ ତରଫରୁ ସମ୍ବର୍ଦ୍ଧିତ କରାଯାଇଛି। ଅନ୍ୟପଟେ ବିରୋଧୀଙ୍କୁ ଆକ୍ଷେପକରି ରଣେନ୍ଦ୍ର କହିଛନ୍ତି, ‘ଚୋରକୁ ସମସ୍ତେ ଚୋରଭଳି ଦେଖାଯାଆନ୍ତି’।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share