ପୁରୀ ବେଳାଭୂମି ପ୍ରଦୂଷଣ ରୋକ

ପୁରୀ ଅଫିସ,୨୭ା୧୦: ପୁରୀ ବେଳାଭୂମି ପ୍ରଦୂଷଣକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଜିଲାପାଳଙ୍କୁ ରାଜ୍ୟ ଉପକୂଳ ପରିଚାଳନା ପ୍ରାଧିକରଣ ନିର୍ଦ୍ଦେଶ ଦେଇଛି। ଓଡ଼ିଶା ବେଳାଭୂମି ସୁରକ୍ଷା ପରିଷଦ ଅଭିଯୋଗର ତଦନ୍ତ କରି ପରିବେଶ ସୁରକ୍ଷା ଆଇନ ଅନୁଯାୟୀ ଯଥାଶୀଘ୍ର କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ପ୍ରାଧିକରଣ ସଦସ୍ୟ ସଚିବ କେ. ମୁରୁଗେସନ ଏ ନେଇ ପୁରୀ ଜିଲାପାଳଙ୍କୁ ଚିଠି ଲେଖି କାର୍ଯ୍ୟାନୁଷ୍ଠାନ ରିପୋର୍ଟ ମାଗିଛନ୍ତି। ଆଇନ ଉଲ୍ଲଂଘନକାରୀଙ୍କ ବିରୋଧରେ ପରିବେଶ ସୁରକ୍ଷା ଆଇନର ଧାରା ୧୯ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିମନ୍ତେ ପ୍ରାଧିକରଣ ନିର୍ଦ୍ଦେଶ ଦେଇଛି। ପୁରୀ ସହରର ଅଣବିଶୋଧିତ ନର୍ଦ୍ଦମା ପାଣି ଚକ୍ରତୀର୍ଥ ବେଳାଭୂମିରେ ଜମା ହୋଇଥିବା ପରିଷଦ ଅଭିଯୋଗ କରିଥିଲା।

ଗତ ୧୩ ତାରିଖରେ ବେଳାଭୂମି ସୁରକ୍ଷା ପରିଷଦ ସଭାପତି ଜଗନ୍ନାଥ ବସ୍ତିଆ ଏ ନେଇ ପ୍ରାଧିକରଣଙ୍କ ନିକଟରେ ଅଭିଯୋଗ କରିଥିଲେ। ସେ ତାଙ୍କ ଅଭିଯୋଗରେ ଦର୍ଶାଇଥିଲେ ଯେ, ବାଙ୍କୀମୁହାଣ ପଛପାର୍ଶ୍ୱ ବେଳାଭୂମିରେ ନର୍ଦ୍ଦମା ପାଣିର ଏକ ବିରାଟ କୃତ୍ରିମ ହ୍ରଦ ସୃଷ୍ଟି ହେବା ସହ ବେଳାଭୂମି ଓ ସମୁଦ୍ର ପାଣି ପ୍ରଦୂଷିତ ହେଉଛି। ଏଥିସହ ପୁରୀ ବେଳାଭୂମିର ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ପରିବେଶ ନଷ୍ଟ ହେଉଛି। ନର୍ଦ୍ଦମା ପାଣି ସମୁଦ୍ରରେ ମିଶୁଛି। ପୁରୀ ବୁଲିବାକୁ ଆସୁଥିବା ପର୍ଯ୍ୟଟକମାନେ ତିକ୍ତ ଅନୁଭୂତି ନେଇ ଫେରୁଛନ୍ତି। ବାଙ୍କୀ ମୁହାଣ ମଇଳା ପାଣି ବିଶୋଧନ ପ୍ରକଳ୍ପ ଅଚଳ ହୋଇପଡ଼ିଛି। ପ୍ରଦୂଷଣ ସମସ୍ୟାର ସ୍ଥାୟୀ ପ୍ରତିକାର ସମେତ ପ୍ରଦୂଷଣକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଲାଗି ସେ ନିବେଦନ କରିଥିଲେ। ଏହି ଅଭିଯୋଗକୁ ପ୍ରାଧିକରଣ ଗୁରୁତ୍ୱର ସହ ନେଇଛି। ରିପୋର୍ଟରେ ଉଲ୍ଲେଖ ରହିଛି ଯେ, ପୁରୀ ଜିଲାରେ ରାଜ୍ୟ ସରକାରଙ୍କ ପ୍ରୟାସରେ ଜିଲା କୋଷ୍ଟାଲ ଜୋନ ମନିଟରିଂ କମିଟି ରହିଛି। ଜିଲାପାଳ ଏହାର ଅଧ୍ୟକ୍ଷ ରହିଛନ୍ତି।ଏଣୁ ଏହି ପରିସୀମା ମଧ୍ୟରେ ବେଆଇନ କାର୍ଯ୍ୟକଳାପ ବିରୋଧରେ ଜିଲାପାଳ କାର୍ଯ୍ୟାନୁଷ୍ଠାନ ନେଇ ପାରିବେ। ଏହି କ୍ଷମତା ସରକାରଙ୍କ ଦ୍ୱାରା ପ୍ରଦତ୍ତ। ଏଣୁ ଜିଲାପାଳ ଏହି କ୍ଷମତାର ବ୍ୟବହାର କରି ପ୍ରଦୂଷଣ ରୋକିବା ଦିଗରେ ପଦକ୍ଷେପ ନିଅନ୍ତୁ। ଏହାବ୍ୟତୀତ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଏ ବିଷୟରେ ରାଜ୍ୟ ସରକାରଙ୍କୁ ରିପୋର୍ଟ ମାଗିଥିବା ଜଣାପଡ଼ିଛି।

Share