ପୁରୀ ବାଣ ବିସ୍ଫୋରଣ ମାମଲା: ଓଏଚ୍‌ଆର୍‌ସିରେ ପିଟିସନ୍‌

କଟକ,୩୧ା୫(କାର୍ତ୍ତିକ ସାହୁ): ପୁରୀ ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ଫୋରଣ ଘଟଣାକୁ ନେଇ ଓଡ଼ିଶା ମାନବିକ ଅଧିକାରୀ ଆୟୋଗ(ଓଏଚ୍‌ଆର୍‌ସି)ରେ ଏକ ପିଟିସନ୍‌ ଶୁକ୍ରବାର ଦାୟର ହୋଇଛି। ବିସ୍ଫୋରଣରେ ମୃତକଙ୍କ ପରିବାରକୁ ପୁରୀ ଶ୍ରୀମନ୍ଦିର ପ୍ରଶାସନ ୩୦ ଲକ୍ଷ ଓ ଆହତଙ୍କୁ ପୁରୀ ଜିଲାପାଳ ୧୦ଲକ୍ଷ ଟଙ୍କା କ୍ଷତିପୂରଣ ରାଶି ପ୍ରଦାନ କରିବା ନିମନ୍ତେ ଆଦେଶ ଦେବାକୁ ପିଟିସନ୍‌ରେ ଦର୍ଶାଯାଇଛି।
ମାମଲାର ବିବରଣୀ ଅନୁସାରେ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଚନ୍ଦନ ଯାତ୍ରା ବେଳେ ଗତ ୨୯ ତାରିଖ ରାତିରେ ପୁରୀର ନରେନ୍ଦ୍ରପୋଖରୀ ପରିସରସ୍ଥ ଦେବୀଘାଟ ପାର୍ଶ୍ୱରେ ବାଣ ବିସ୍ଫୋରଣ ହୋଇଥିଲା। ଏଥିରେ ବର୍ତ୍ତମାନ ସୁଦ୍ଧା ୬ଜଣଙ୍କ ମୃତ୍ୟୁ ହୋଇଛି।
ଗୁରୁତରମାନେ ଏବେ ଏସ୍‌ସିବି, ଏମ୍‌ସ୍‌ ସମେତ କଟକ, ଭୁବନେଶ୍ୱରର ବିଭିନ୍ନ ପ୍ରମୁଖ ବେସରକାରୀ ହସ୍ପିିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି। ତେବେ ଶ୍ରୀମନ୍ଦିର ପ୍ରଶାସନ ପୁରୀର ନରେନ୍ଦ୍ର ପୁଷ୍କରିଣୀରେ ଅକ୍ଷୟ ତୃତୀୟାଠାରୁ ଆରମ୍ଭ କରି ୨୧ ଦିନ ବ୍ୟାପୀ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଚନ୍ଦନ ଯାତ୍ରା ଅନୁଷ୍ଠିତ କରାଉଛନ୍ତି।
ବେଆଇନ ଭାବେ ବାଣ ଫୁଟାଇବା ହେତୁ ଏପରି ବିସ୍ଫୋରଣ ଘଟିଛି। ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ, ପୁରୀ ଟାଉନ୍‌ ଥାନା ଆଇଆଇସି, ପୁରୀ ଏସ୍‌ପି ଓ ପୁରୀ ଜିଲାପାଳଙ୍କ ଅବହେଳା ପାଇଁ ଏଭଳି ବିସ୍ଫୋରଣ ଘଟିଲା ବୋଲି ଆବେଦନକାରୀ ଆଇନଜୀବୀ ଶିବଶଙ୍କର ମହାନ୍ତି ଆବେଦନରେ ଦର୍ଶାଇଛନ୍ତି।
ଆୟୋଗ ପିଟିସନ୍‌ର ଶୁଣାଣି କରି ରାଜ୍ୟ ମୁଖ୍ୟ ଶାସନ ସଚିବ, ପୁରୀ ଜିଲାପାଳ ଓ ଅଗ୍ନିଶମ ଡିଜିଙ୍କୁ ତଦନ୍ତ କରି ରିପୋର୍ଟ ପ୍ରଦାନ ପାଇଁ ଆଦେଶ ଦିଅନ୍ତୁ ବୋଲି ଆବେଦନକାରୀ ପ୍ରାର୍ଥନା କରିଛନ୍ତି। ଏଥିସହ ପୁରୀ ଏସ୍‌ପି ବିସ୍ଫୋରଣ ସଂକ୍ରାନ୍ତୀୟ ଏତଲାର ସମ୍ପୂର୍ଣ୍ଣ ବିବରଣୀ ଓ ମାମଲାର ତଦନ୍ତ ସ୍ଥିତି ସଂକ୍ରାନ୍ତରେ ଜଣାଇବାକୁ ନିର୍ଦ୍ଦେଶ ଦେବା ନିମନ୍ତେ ମଧ୍ୟ ପିଟିସନ୍‌ରେ ଦର୍ଶାଯାଇଛି। ଓଡ଼ିଶା ସରକାରଙ୍କ ମୁଖ୍ୟ ଶାସନ ସଚିବ, ପୁରୀ ଜିଲାପାଳ, ଅଗ୍ନିଶମ ଡିଜି ଓ ଶ୍ରୀମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକଙ୍କୁ ଏଥିରେ ପକ୍ଷଭୁକ୍ତ କରାଯାଇଛି।
Share