ସ୍ନାନବେଦୀରେ ଶ୍ରୀଜୀଉ

ପୁରୀ ଅଫିସ,୧୪ା୬: ଦୁଇ ବର୍ଷ ପରେ ଭକ୍ତଙ୍କ ମେଳରେ ହେଉଛି ସ୍ନାନଯାତ୍ରା। ଏନେଇ ଚଳଚଞ୍ଚଳ ହୋଇଉଠିଛି ଶ୍ରୀକ୍ଷେତ୍ର। ନୀତିକାନ୍ତି ନିର୍ଘଣ୍ଟ ଅନୁଯାୟୀ, ମଙ୍ଗଳବାର ଭୋର ୩ଟା ୩୦ରେ ମଙ୍ଗଳାର୍ପଣ କରାଯାଇଥିଲା। ପରେ ଶ୍ରୀଜୀଉଙ୍କ ପହଣ୍ଡି ନୀତିି ଆରମ୍ଭ ହୋଇଥିଲା। ପ୍ରଥମେ ଚକ୍ରରାଜ ସୁଦର୍ଶନ ପରେ ବଳଭଦ୍ର, ଦେବୀ ସୁଭଦ୍ରା ଏବଂ ଶେଷରେ ମହାପ୍ରଭୁ ଜଗନ୍ନାଥ ଧାଡି ପହଣ୍ଡିରେ ଆସି ସ୍ନାନବେଦୀରେ ପହଞ୍ଚି ଥିଲେ।

ଏହାପରେ ବିଭିନ୍ନ ରୀତିନୀତି ସମ୍ପନ୍ନ ହୋଇ ପୂର୍ବାହ୍ନ ୯ଟା ୩୦ରେ ଜଳବିଜେ ଓ ପୂଜା, ସ୍ନାନ ଇତ୍ୟାଦି ସମ୍ପାଦନ ହେବ। ମଧ୍ୟାହ୍ନ ୧୨ଟା ୧୫ରୁ ୧୨ଟା ୪୫ ମଧ୍ୟରେ ଛେରାପହଁରା ଏବଂ ଗଜାନନ ବେଶ ମଧ୍ୟାହ୍ନ ୧୨ଟା ୪୫ରୁ ଅପରାହ୍ନ ୨ଟା ୩୦ରେ ସମ୍ପନ୍ନ ହେବ। ସାହାଣମେଲା ଦର୍ଶନ ସନ୍ଧ୍ୟା ୬ରୁ ରାତ୍ର ୯ଟା ୩୦ ପର୍ଯ୍ୟନ୍ତ ଚାଲିବ। ୧୦ଟାରୁ ରାତି ଗୋଟାଏ ମଧ୍ୟରେ ବାହୁଡ଼ା ପହଣ୍ଡି ସରିବା ପରେ ୧ଟା ୩୦ରେ ସୁନାଚିତା ଓ ରାହୁରେଖା ମଇଲମ କରାଯିବ।

ଅନ୍ୟପକ୍ଷେ ପୁରୀ ସହରରେ ୫ ଥାକିଆ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ୩ଜଣ କମାଣ୍ଡାଣ୍ଟ, ୧୧ଜଣ ଅତିରିକ୍ତ ଏସ୍‌ପି, ୨୧ ଡିଏସ୍‌ପି, ୫୦ରୁ ଊର୍ଦ୍ଧ୍ୱ ଇନ୍ସପେକ୍ଟର, ୨୭୦ରୁ ଊର୍ଦ୍ଧ୍ୱ ଏସ୍‌ଆଇ ଓ ଏଏସ୍‌ଆଇ, ୧ ହଜାର କନଷ୍ଟେବଳ ଓ ହୋମଗାର୍ଡଙ୍କ ସହ ୫୨ ପ୍ଲାଟୁନ୍‌ ଫୋର୍ସ ମୁତୟନ ହୋଇଛନ୍ତି।

Share