ପୁରୀ ବାଣ ବିସ୍ଫୋରଣ: ମୃତ୍ୟୁସଂଖ୍ୟା ୧୪କୁ ବୃଦ୍ଧି

କଟକ, ୩।୬(ଶିଳ୍ପା ପ୍ରିୟଦର୍ଶିନୀ/ଅଜିତ୍‌ କୁମାର ମହାନ୍ତି): ପୁରୀ ବାଣ ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ବଢ଼ି ଚାଲିଛି। ରବିବାର ଆଉ ୪ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଫଳରେ ଏହି ଘଟଣାରେ ମୃତକଙ୍କ ସଂଖ୍ୟା ୧୪କୁ ବୃଦ୍ଧି ପାଇଛି। ତେବେ ରବିବାର ସନ୍ଧ୍ୟା ୬ଟା ସୁଦ୍ଧା ମୃତକଙ୍କ ସଂଖ୍ୟା ୧୩ଥିବା ସ୍ବତନ୍ତ୍ର ରିଲିଫ କମିଶନର(ଏସ୍‌ଆର୍‌ସି)ଙ୍କ ପକ୍ଷରୁ ସୂଚନା ଦିଆଯାଇଥିଲା। ପରବର୍ତ୍ତୀ ସମୟରେ କଟକ ଏସ୍‌ସିବିରେ ଚିକିତ୍ସିତ ହେଉଥିବା ପାଞ୍ଚଜଣ ଆହତଙ୍କ ମଧ୍ୟରୁ ଜଣେ ନାବାଳକଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ପୁରୀ ତଳନୂଆ ସାହି ଗୋଲପକା ବସ୍ତିର ସୋମନାଥ ବେହେରା(୧୪)। ମୃତକଙ୍କ ଶରୀର ୬୫ ପ୍ରତିଶତ ପୋଡ଼ି ଯାଇଥିବାରୁ ତାଙ୍କୁ ପ୍ଲାଷ୍ଟିକ୍‌ ସର୍ଜରି ବିଭାଗ ଆଇସିୟୁରେ ରଖି ଚିକିତ୍ସା କରାଯାଉଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ମେଡିକାଲ ପକ୍ଷରୁ ସୂଚନା ଦିଆଯାଇଛି।

ଗତ ୨୯ ତାରିଖରେ ପୁରୀ ନରେନ୍ଦ୍ର ପୁଷ୍କରିଣୀରେ ମହାପ୍ରଭୁଙ୍କ ଚାପ ଖେଳ ବେଳେ ଆତସବାଜି କାର୍ଯ୍ୟକ୍ରମ ଚାଲିଥିଲା। ଫୁଟାଯିବା ପାଇଁ ଗୋଟିଏ ସ୍ଥାନରେ ଗଦା ହୋଇ ରହିଥିବା ବାଣରେ ନିଆଁ ଲାଗିବାରୁ ତାହା ଭୟଙ୍କର ରୂପ ନେଇଥିଲା। ଏହି ବିସ୍ଫୋରଣରେ ପ୍ରଥମେ ୩ ଜଣଙ୍କର ମୃତ୍ୟୁ ଘଟିଥିଲା। ପରେ ଅର୍ଥାତ୍‌ ଶୁକ୍ରବାର ୩ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଶନିବାର ଆଉ ୪ଜଣ ଆଖିବୁଜିଥିଲେ।

ପୁରୀ ବାଣ ବିସ୍ଫୋରଣ ଘଟଣାରେ କୁମ୍ଭାରପଡ଼ା ଥାନା ପୋଲିସ ନିମାପଡ଼ା ବ୍ଲକ ଚାରିଛକ ଓ ଗୋପ ଥାନା ଅଞ୍ଚଳର ୪ଜଣ ବାଣ ବ୍ୟବସାୟୀଙ୍କୁ ଅଟକ ରଖି ପଚରାଉଚରା କରୁଛି। ଘଟଣାସ୍ଥଳରେ ବାଣ ଫୁଟାଉଥିବା ବ୍ୟକ୍ତିଙ୍କୁ ସମ୍ପୃକ୍ତ ବ୍ୟବସାୟୀମାନେ ବାଣ ଯୋଗାଇଥିବା ପୋଲିସ କହିଛି। ତେବେ ଅଟକ ଥିବା ବ୍ୟବସାୟୀମାନଙ୍କ ନାମ ପୋଲିସ ପକ୍ଷରୁ ପ୍ରକାଶ କରାଯାଇନାହିଁ। ବିନା ଅନୁମତିରେ ବାଣ ଫୁଟାଇବା ଏବଂ ଉକ୍ତ ଅଘଟଣକୁ ନେଇ ପୋଲିସ ନିଜ ଆଡୁ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

ସୂଚନାଯୋଗ୍ୟ, ଗତ ୨୯ ତାରିଖରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ସମୟରେ ପୁରୀ ନରେନ୍ଦ୍ର ପୋଖରୀ ନିକଟରେ ବାଣ ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣରେ ରବିବାର ସୁଦ୍ଧା ୧୩ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ବ୍ୟକ୍ତି ଗୁରୁତର ଅବସ୍ଥାରେ ବିଭିନ୍ନ ମେଡିକାଲରେ ଚିକିତ୍ସିତ ହେଉଛନ୍ତି।