ହାଇକୋର୍ଟରେ ସତ୍ୟପାଠ ଦାଖଲ କଲେ ପୁରୀ ଏସ୍‌ପି

କଟକ ଅଫିସ,୧୫।୧୨: ପୁରୀ ହାଜତ ମୃତ୍ୟୁ ମାମଲାର ଶୁଣାଣି ସୋମବାର ହାଇକୋର୍ଟରେ ହୋଇଥିଲା। ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ ଓ ଜଷ୍ଟିସ ବିଶ୍ୱନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଉକ୍ତ ମାମଲାର ଶୁଣାଣି କରିଥିଲେ ା ଏହି ମାମଲାର ଅଗ୍ରଗତି ନେଇ ପୁରୀ ଏସ୍‌ପି କନ୍‌ୱର ବିଶାଲ ସିଂ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି। ସତ୍ୟପାଠରେ ଉଲ୍ଲେଖ ରହିଛି, ରାଜ୍ୟ ମାନବାଧିକାର କମିଶନ (ଓଏଚ୍‌ଆର୍‌ସି) ଓ ଜାତୀୟ ମାନବାଧିକାର କମିଶନ (ଏନ୍‌ଏଚ୍‌ଆରସି) ଉକ୍ତ ଘଟଣା ଗମ୍ଭୀରତାର ସହ ବିଚାରକୁ ନେଇ ତଦନ୍ତ କରୁଛନ୍ତି। ଏହି ଘଟଣାକୁ ନେଇ ଏନ୍‌ଏଚ୍‌ଆର୍‌ସି ମଧ୍ୟ ଏକ ମାମଲା (୨୯୫/୨୦୨୦) ରୁଜୁ ହୋଇଛି। ଅବସରପ୍ରାପ୍ତ ଆଇଏଏସ୍‌ ଅଫିସର ଡ. ବିନୋଦ ଅଗ୍ରୱାଲଙ୍କୁ ଏନ୍‌ଏଚ୍‌ଆର୍‌ସି ପକ୍ଷରୁ ସ୍ବତନ୍ତ୍ର ଭାବେ ଦାୟିତ୍ୱ ଦିଆଯାଇଛି । ସେ ଘଟଣାସ୍ଥଳ ପରିଦର୍ଶନ କରିବା ସହ ତଦନ୍ତ କରିବେ। ୪ ସପ୍ତାହ ମଧ୍ୟରେ ଏନ୍‌ଏଚ୍‌ଆର୍‌ସିଙ୍କ ତଦନ୍ତ ଶେଷ ହେବ। ପୁରୀ ଡିଏସ୍‌ପିଙ୍କ ମାନବ ସୁରକ୍ଷା ସେଲ୍‌ ମଧ୍ୟ ଏନ୍‌ଏଚ୍‌ଆର୍‌ସିଙ୍କ ମାର୍ଗଦର୍ଶିକା ଅନୁଯାୟୀ ତଦନ୍ତ କରୁଛି। ପୁରୀ ଜିଲାଜଜ୍‌ଙ୍କ ନିର୍ଦ୍ଦେଶକ୍ରମେ ଜଣେ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ହାଜତ ମୃତ୍ୟୁର କାରଣ ସମ୍ପର୍କରେ ତଦନ୍ତ କରୁଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ମୃତକ କେ. ରମେଶଙ୍କ ଅଭିଭାବକଙ୍କୁ ପୋଲିସ ହେପାଜତରେ କିମ୍ବା ଅନ୍ୟ କୌଣସି ଚାପରେ ରଖାଯାଇନାହିଁ । ଅଦାଲତଙ୍କ ନିର୍ଦ୍ଦେଶକ୍ରମେ କେ. ରମେଶଙ୍କ ପରିବାରକୁ କ୍ଷତିପୂରଣ ବାବଦରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିରୁ ୫ଲକ୍ଷ ଟଙ୍କା ଅନୁମୋଦନ କରାଯାଇଛି ବୋଲି ସତ୍ୟପାଠରେ ଏସ୍‌ପି ସିଂ ଉଲ୍ଲେଖ କରିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୨୨ରେ ହେବ ବୋଲି ଆବେଦନକାରୀ ଶରତ ରାୟଗୁରୁଙ୍କ ଓକିଲ ଦୀପକ ମହାପାତ୍ର କହିଛନ୍ତି।

Share