ପୁରୀ ଆକାଶରେ ସୂର୍ଯ୍ୟକିରଣ ଶୋ’

ପୁରୀ ଅଫିସ, ୧୮।୯: ଆଜାଦୀ କା ଅମୃତ ମହୋତ୍ସବ ପାଳନ ଅବସରରେ ଲୋକଙ୍କ ମନରେ ଦେଶପ୍ରେମ ଜାଗ୍ରତ କରିବା ଉଦ୍ଦେଶ୍ୟରେ ଶନିବାର ପୁରୀ ବେଳାଭୂମିରେ ବାୟୁସେନା ପକ୍ଷରୁ ସୂର୍ଯ୍ୟକିରଣ ଏୟାର ଶୋ’ ଅନୁଷ୍ଠିତ ହୋଇଛି। ପୂର୍ବାହ୍ନ ୧୦ଟା ୨୦ରୁ ୧୧ଟା ପର୍ଯ୍ୟନ୍ତ ବ୍ଲୁ ଫ୍ଲାଗ ବିଚ୍‌ରେ ଅନୁଷ୍ଠିତ ଏହି ଫୁଲ୍‌ଡ୍ରେସ୍‌ ଏୟାର ଶୋ’ରେ ବାୟୁସେନାର ୯ଟି ହକ୍‌ (ଯୁଦ୍ଧ) ବିମାନ ଦୁଃସାହସିକ ଓ ରୋମାଞ୍ଚକର କଳା କୌଶଳ ପ୍ରଦର୍ଶନ କରିଛି। ବିମାନଗୁଡ଼ିକ ୫ ଶହରୁ ୧ହଜାର ଫୁଟ୍‌ ଉଚ୍ଚରେ ଉଡ଼ି ସାହସିକ କଳାକୌଶଳ ପ୍ରଦର୍ଶନ କରିଥିଲେ। ଏହି ଲଢୁଆ ବିମାନଗୁଡ଼ିକର ଗର୍ଜନରେ ପୁରୀ ଆକାଶ କମ୍ପିଉଠିବା ସହ ଲୋକଙ୍କ ମନରେ ଏକ ରୋମାଞ୍ଚକର ଶିହରଣ ସୃଷ୍ଟି କରିଥିଲା। ପୁରୀରେ ପ୍ରଥମ ଥର ପାଇଁ ଆୟୋଜିତ ଏହି ଏୟାର ଶୋ’ ଦେଖି ପୁରୀବାସୀ ଏବଂ ପର୍ଯ୍ୟଟକମାନେ ଅଭିଭୂତ ହୋଇପଡ଼ିଥିଲେ।

ଏହି କାର୍ଯ୍ୟକ୍ରମ ପାଇଁ ବାୟୁସେନା ସମେତ ପୁରୀ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା। ବ୍ଲୁ ଫ୍ଲାଗ୍‌ ବିଚ୍‌ରେ ହଜାର ହଜାର ଲୋକଙ୍କ ସମେତ ଛାତ୍ରୀଛାତ୍ର, ଏନ୍‌ସିସି କ୍ୟାଡେଟ୍‌, ସ୍କାଉଟ୍ସ ଓ ଗାଇଡ୍ସ କ୍ୟାଡେଟ୍‌ମାନେ ଜାତୀୟ ପତାକା ଧରି ବିଭିନ୍ନ ସ୍ଲୋଗାନ ଦେବା ସହ ଦେଶାତ୍ମବୋଧ ସଙ୍ଗୀତରେ ଝୁମିଉଠିଥିଲେ। ସୂର୍ଯ୍ୟକିରଣ ଟିମ୍‌ ତରଫରୁ ଶୋ’ର ଧାରା ବିବରଣୀ ପ୍ରଦାନ କରାଯାଇଥିଲା। ସହରର ବିଭିନ୍ନ ସରକାରୀ କୋଠା ଓ ନିଜ ନିଜ ଘରର ଛାତ ଉପରେ ଲୋକେ ଠିଆହୋଇ ସୂର୍ଯ୍ୟ କିରଣ ଶୋ’କୁ ଉପଭୋଗ କରିବା ସହ ଏହି ସ୍ମରଣୀୟ ଦୃଶ୍ୟକୁ ନିଜ ନିଜ ମୋବାଇଲ ଫୋନରେ କଏଦ କରିବାକୁ ଭୁଲି ନ ଥିଲେ। ଏହି କାର୍ଯ୍ୟକ୍ରମରେ ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ଜିଲାପାଳ ସମର୍ଥ ବର୍ମା, ଅତିରିକ୍ତ ଜିଲାପାଳ (ପ୍ରଶାସନ) ପ୍ରଦୀପ କୁମାର ସାହୁ, ଅତିରିକ୍ତ
ଜିଲାପାଳ (ରାଜସ୍ବ) କୈଳାସ ଚନ୍ଦ୍ର ନାୟକ, ଅତିରିକ୍ତ ଜିଲାପାଳ (ପ୍ରୋଟୋକଲ) ଦିଲୀପ କୁମାର ମହାପାତ୍ରଙ୍କ ସମେତ ବହୁ ସେବାୟତ ଏବଂ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ତେବେ ଯଦି ପାଗ ଭଲ ରୁହେ ପୁରୀବାସୀ ରବିବାର ପୁଣି ଶୋ’କୁ ଉପଭୋଗ କରିପାରିବେ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।