୯ ମାସ ପରେ ଖୋଲିଲା ଶ୍ରୀମନ୍ଦିର: ଶ୍ରୀଜିଉଙ୍କ ଦର୍ଶନ କଲେ ସେବାୟତ ପରିବାର

ପୁରୀ ଅଫିସ, ୨୩।୧୨: ସବୁ ପ୍ରତୀକ୍ଷାର ଅନ୍ତ ଘଟିଲା। ଦୀର୍ଘ ୯ ମାସ ପରେ ଖୋଲିଲା ଶ୍ରୀମନ୍ଦିର। ଆରମ୍ଭ ହେଲା ଭକ୍ତ-ଭଗବାନଙ୍କ ମିଳନ। ଭୋର ୪ଟା ୪୦ରେ ସିଂହଦ୍ୱାର ଫିଟାଯିବା ପରେ ଦର୍ଶନ ଆରମ୍ଭ ହୋଇଛି। ତେବେ ଆଜିଠୁ ୩ଦିନ ସେବାୟତ ଓ ସେମାନଙ୍କ ପରିବାର ଶ୍ରୀମନ୍ଦିର ଯାଇ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବେ । ୨୬ରୁ ୩୧ ତାରିଖ ପର୍ଯ୍ୟନ୍ତ ପୁରୀ ସହରବାସୀ ଦର୍ଶନ କରିବେ।
ଅଣ ସେବାୟତଙ୍କୁ ଚିହ୍ନଟ ପାଇଁ ଜେଟିପି ଓ ପୋଲିସ ମୁତୟନ କରାଯାଇଛି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସେବାୟତଙ୍କୁ ଯୋଗାଇ ଦିଆଯାଇଥିବା ସ୍ବାସ୍ଥ୍ୟ ଓ ଅନ୍ୟ କୌଣସି ପରିଚୟ ପତ୍ର ଦେଖାଇ ଶ୍ରୀମନ୍ଦିର ଯେ କୌଣସି ଦ୍ବାର ଦେଇ ପ୍ରବେଶ କରିପାରିବେ ସେବାୟତ ଓ ସେମାନଙ୍କ ପରିବାର ବର୍ଗ ।
ଦର୍ଶନ ବ୍ୟବସ୍ଥା ନେଇ ଜିଲା ପ୍ରଶାସନ ଓ ମନ୍ଦିର ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ଏସଓପି ଜାରି ହୋଇଛି । ସେବାୟତ ହୁଅନ୍ତୁ କି ପୁରୀ ବାସିନ୍ଦା, ସମସ୍ତଙ୍କ ପାଇଁ ପରିଚୟ ପତ୍ର ବାଧ୍ୟତାମୂଳକ କରାଯାଇଛି । ସେବାୟତ ପରିବାରର ଲୋକମାନେ ନିଜ ନିଜର ସ୍ବାସ୍ଥ୍ୟବୀମା କାର୍ଡ ସାଙ୍ଗରେ ଆଣି ଆସିବାକୁ କୁହାଯାଇଛି । ଏହା ନ ଥିଲେ ଅନ୍ୟ ପରିଚୟପତ୍ର ଦେଖାଇବାକୁ ପଡ଼ିବ।

Share