ବାହାର ଜିଲାବାସୀଙ୍କୁ ପୁରୀ ସ୍ବର୍ଗଦ୍ୱାର ମନା: ହାଇକୋର୍ଟରେ ମାମଲ

କଟକ ଅଫିସ,୧୪।୭: କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ପୁରୀ ସ୍ବର୍ଗଦ୍ୱାରକୁ ବାହାର ଜିଲାବାସୀଙ୍କୁ ବାରଣ କରାଯାଇଛି। ଏନେଇ ପୁରୀ ଜିଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି। ତେବେ ଏହି ନିର୍ଦ୍ଦେଶକୁ ବିରୋଧକରି ସୋମବାର ହାଇକୋର୍ଟରେ ଏକ ମାମଲା ରୁଜୁ ହୋଇଛି। କଟକର ସାମାଜିକ କର୍ମୀ ସଞ୍ଜିବ କୁମାର ଚିନାରା ଏହି ମାମଲା ରୁଜୁ କରିଛନ୍ତି। ସେ ଆବେଦନରେ ଦର୍ଶାଇଛନ୍ତି ଯେ, ସନାତନ ଧର୍ମରେ ସ୍ବର୍ଗଦ୍ୱାରର ସ୍ଥାନ ସ୍ବତନ୍ତ୍ର। ସେଠାରେ ଶେଷକୃତ୍ୟ କରାଗଲେ ମୃତ ବ୍ୟକ୍ତି ସ୍ବାର୍ଗପ୍ରାପ୍ତି ହୁଅନ୍ତି ବୋଲି ବିଶ୍ୱାସ ରହିଛି। କିନ୍ତୁ ପୁରୀ ଜିଲା ପ୍ରଶାସନ ସ୍ବର୍ଗଦ୍ୱାର ଉପରେ କଟକଣା ଜାରି କରିଛନ୍ତି। ଏହାକୁ ଚ୍ୟାଲେଞ୍ଜକରି ଆବେଦନକାରୀଙ୍କ ପକ୍ଷରୁ ଉଲ୍ଲେଖ କରାଯାଇଛି ଯେ, କରୋନା ସଂକ୍ରମଣର ଦ୍ୱାହି ଦେଇ ସ୍ବର୍ଗଦ୍ୱାରକୁ ବାରଣ କରାଯିବା ପ୍ରତ୍ୟେକଙ୍କୁ ଆଘାତ ଦେଇଛି। ଏ ନେଇ ପୁଣୀ ପ୍ରଶାସନକୁ ଜବାବ୍‌ ତଲବ କରିବାକୁ ଆବେଦନରେ ପ୍ରାର୍ଥନା କରାଯାଇଛି। ମାମଲାରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ, ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତପକ୍ଷ, ସ୍ବତନ୍ତ୍ର ରିଲିଫ୍‌ କମିଶନର ଏବଂ ପୁରୀ ଜିଲାପାଳଙ୍କୁ ପକ୍ଷଭୁକ୍ତ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ରଞ୍ଜନ କୁମାର ରାଉତ ମାମଲା ପରିଚାଳନା କରୁଛନ୍ତି।

Share