ପୁରୀରୁ କାକଟପୁର ମୋ ବସ୍‌ ସେବା ଆରମ୍ଭ

ପୁରୀ,୨।୭(ଅଜିତ୍‌ ମହାନ୍ତି)ଜୁଲାଇ ୧ଠାରୁ ବିଧିବଦ୍ଧ ଭାବେ ପୁରୀରୁ କାକଟପୁର ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ଦାରା ମୋ ବସ୍‌ ସେବା ଆରମ୍ଭ ହୋଇଯାଇଛି। ଏହି ବସ୍‌ ଭାୟା ବାଲିଘାଇ ଛକ ଓ କୋଣାର୍କ ହୋଇ ଯାତାୟାତ କରିବ। କୋଣାର୍କ ଏକ ଅନ୍ତର୍ଜାତୀୟସ୍ଥରୀୟ ପର୍ଯ୍ୟଟନସ୍ଥଳୀ, ପୁରୀ ଆସୁଥିବା ଦେଶୀ ବିଦେଶୀ ପର୍ଯ୍ୟଟକମାନେ ପ୍ରାୟତଃ କୋଣାର୍କ ପରିଭ୍ରମଣରେ ଯାଇଥାନ୍ତି। ଏହାବ୍ୟତୀତ ଉକ୍ତ ରୁଟରେ ରାମଚଣ୍ଡୀ ଓ ଚନ୍ଦ୍ରଭାଗାକୁ ମଧ୍ୟ ଅନେକ ଯାତ୍ରୀ ପର୍ଯ୍ୟଟକଙ୍କ ଯାତାୟାତ ହୁଅନ୍ତି। ଆଗରୁ କିଛି ଘରୋଇ ବସ୍‌ର ବ୍ୟବସ୍ଥା ଥିଲେ ମଧ୍ୟ ବହୁବାର ଯାତ୍ରୀ କଣ୍ଡକ୍ଟରଙ୍କ ଦ୍ୱାରା ଆର୍ଥିକ ଶୋଷଣର ଶିକାର ହେଉଥିଲେ। ଯାହାକି ମୋ ବସ୍‌ ସେବା ଆରମ୍ଭ ହେବା ପରେ ଯାତ୍ରୀମହଲରେ ଏକ ପ୍ରକାର ଆଶ୍ୱସ୍ତି ଆଣିଦେଇଛି। ଏହି ବସ୍‌ ପୁରୀରୁ ସକାଳ ୬ ଘଟିକା, ୧୦:୨୦ ଘଟିକା ଓ ଅପରାହ୍ନ ୫:୩୦ରେ ଛାଡ଼ିବ। ସେହିପରି କାକଟପୁରରୁ ସକାଳ ୮ ଘଟିକା, ଅପରାହ୍ନ ୩:୩୦ ଘଟିକା ଓ ସା ୭:୨୦ ମିନିଟରେ ଛାଡ଼ିବ। ଯାତ୍ରୀ, ପର୍ଯ୍ୟଟକଙ୍କ ସମେତ ପୁରୀବାସୀଙ୍କ ପାଇଁ ଏହା ଏକ ଖୁସି ଖବର। ଯାତ୍ରୀମାନଙ୍କ ପକ୍ଷରୁ ଶନିବାର ପ୍ରାତଃ ୬ ଘଟିକା ସମୟରେ ପୁରୀ ବସଷ୍ଟାଣ୍ଡରେ ବସ ଚଳାଚଳ ଶୁଭାରମ୍ଭ ହୋଇଥିଲା। ଏହି ସମୟରେ ଆସୋସିଏଶନ ଅଫ୍‌ ଟୁଇଟର ଆକ୍ଟିଭିଷ୍ଟସ (ଆଟା) ର ସଦସ୍ୟମାନେ ଉକ୍ତ ବସ୍‌ର କର୍ମଚାରୀମାନଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିବା ସହ ଉତ୍ତମ ଯାତ୍ରୀ ସେବାର ଆଶା ରଖିଛନ୍ତି।

Share