Categories: ଖେଳ

ହେପ୍ଟାଥଲନରେ ପୂର୍ଣ୍ଣିମାଙ୍କୁ ରୌପ୍ୟ

ରାଞ୍ଚି,୧୯ା୫ (ପି.ଟି.): ଚଳିତ ଫେଡେରେଶନ କପ୍‌ ଆଥଲେଟକ୍ସ ଚାମ୍ପିୟନଶିପ୍‌ ହେପ୍ଟାଥଲନରେ ଓଡ଼ିଆ ଆଥଲେଟ ପୂର୍ଣ୍ଣିମା ହେମ୍ବ୍ରମ ରୌପ୍ୟ ପଦକ ହାସଲ କରିଛନ୍ତି। ପୂର୍ଣ୍ଣିମା ୫୧୨୮ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହିଥିଲେ। ଷ୍ଟାର ହର୍ଡଲର ଜ୍ୟୋତି ୟାରାଜୀ ତାଙ୍କର ଦ୍ୱିତୀୟ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ଗୁରୁବାର ସେ ମହିଳା ୨୦୦ ମିଟର ରେସ୍‌ ଜିତିଛନ୍ତି। ତାଙ୍କ ବିଜୟ ଟାଇମିଂ ୨୩.୪୨ ସେକେଣ୍ଡ ରହିଥିଲା, ଯାହାକି ଆସନ୍ତା ଜୁଲାଇ ୧୨ରୁ ୧୬ ପର୍ଯ୍ୟନ୍ତ ହେବାକୁଥିବା ଏସିଆନ ଆଥଲେଟିକ୍ସ ଚାମ୍ପିୟନଶିପ୍‌ ଲାଗି ଆଥଲେଟିକ୍ସ ଫେଡେରେଶନ ଅଫ୍‌ ଇଣ୍ଡିଆ (ଏଏଫ୍‌ଆଇ) ପକ୍ଷରୁ ଧାର୍ଯ୍ୟ କ୍ୱାଲିଫାଇଙ୍ଗ ଟାଇମିଂ ୨୩.୫୦ ସେକେଣ୍ଡଠାରୁ ଉନ୍ନତ। ଏଏଫ୍‌ଆଇ ଦ୍ୱାରା ଗଠିତତ ସିଲେକ୍ସନ କମିଟି କଣ୍ଟିନେଣ୍ଟାଲ ଚାମ୍ପିୟନଶିପ୍‌ ପାଇଁ ଭାରତୀୟ ଦଳ ବାଛିବ। ଆନ୍ଧ୍ର ପ୍ରଦେଶରୁ ପ୍ରତିନିଧିତ୍ୱ କରୁଥିବା ଜ୍ୟୋତି ଦିନକ ପୂର୍ବରୁ ୧୨.୮୯ ସେକେଣ୍ଡ ଟାଇମିଂ ମହିଳା ୧୦୦ ମିଟର ହର୍ଡଲ୍ସରେ ମିଟ୍‌ ରେକର୍ଡ ସହ ସ୍ବର୍ଣ୍ଣ ପଦକ ଲାଭ କରିଥିଲେ। ଗୁରୁବାର ମହିଳା ୨୦୦ ମିଟର ହର୍ଡଲ୍ସରେ ତାମିଲନାଡୁର ଅର୍ଚ୍ଚନା ସୁଶିନ୍ଦ୍ରନ ୨୩.୬୧ ସେକେଣ୍ଡ ଟାଇମିଂରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ। ଅନ୍ୟପକ୍ଷରେ ଆସାମର ଅମ୍ଳାନ ବର୍ଗୋହେନ୍‌ ୨୦.୮୩ ସେକେଣ୍ଡ ଟାଇମିଂରେ ପୁରୁଷ ୨୦୦ ମିଟର ରେସ୍‌ ଜିତିଛନ୍ତି, ଯାହାକି ଏଏଫ୍‌ଆଇର ଏସିଆନ ଚାମ୍ପିୟନଶିପ୍‌ ପାଇଁ ଯୋଗ୍ୟତା ଟାଇମିଂ ୨୦.୬୧ ସେକେଣ୍ଡଠାରୁ କମ୍‌ ରହିଥିଲା।

Share