ଅଧିକାରୀଙ୍କୁ ନାଳକୁ ଠେଲିଦେଲେ

ଯୋଡ଼ା,୨୩ା୬(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ବ୍ଲକ୍‌ ଦେଓଝରରେ ଥିବା ଏକ କମ୍ପାନୀର ତୈଳଯୁକ୍ତ ଜଳ ନିକଟବର୍ତ୍ତୀ ଗ୍ରାମରେ ଥିବା ନାଳରେ ମିଶିବାକୁ ନେଇ କିଛିଦିନ ହେବ ଉତ୍ତେଜନା ଲାଗି ରହିଛି। ଗ୍ରାମବାସୀ ଶନିବାର ସଂସ୍ଥାର କେତେଜଣ ଅଧିକାରୀଙ୍କୁ ନାଳ ପାଣି ଦେଖାଇବାକୁ ଡାକିଥିଲେ। ଏହି ସମୟରେ ସ୍ଥାନୀୟ ଲୋକେ କମ୍ପାନୀର ପ୍ରଦୂଷଣ ବିଭାଗ ଯନ୍ତ୍ରୀ ଭି. ପ୍ରଦୀପଙ୍କୁ ଦୂଷିତ ନାଳକୁ ଠେଲି ଦେଇଥିଲେ। ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ ଘଟଣା ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ସୂଚନା ଅନୁଯାୟୀ, ପୂର୍ବରୁ ଉକ୍ତ କାରଖାନାର ଦୂଷିତ ଜଳ ନାଳରେ ମିଶିବାରୁ ମାଛ ମଡ଼କ ଦେଖାଯାଇଥିଲା। ଏହାକୁ ନେଇ ଗ୍ରାମବାସୀ ପ୍ରତିକ୍ରିୟାଶୀଳ ହୋଇଥିଲେ। ଏବେ ପୁଣି କମ୍ପାନୀର ଦୈଳଯୁକ୍ତ ପାଣି ନାଳରେ ମିଶୁଛି। ଦୂଷିତ ଜଳ ପିଇ ଗ୍ରାମର ଗୋଟିଏ ଗାଈ ମୃତ୍ୟୁବରଣ କରିଛି। ଲୋକଙ୍କ ଅଭିଯୋଗ ପରେ କାରାଖାନା ଅଧିକାରୀମାନେ ସମାଧାନ ପାଇଁ ଗ୍ରାମକୁ ଆସିଥିଲେ। ଆଲୋଚନା ପରେ ଅଧିକାରୀମାନେ ଲୋକଙ୍କ ସହ ନାଳ ନିକଟକୁ ଯାଇ ପାଣି ଦେଖୁଥିଲେ। ଏହି ସମୟରେ କେତେଜଣ ଉତ୍ତ୍ୟକ୍ତ ଲୋକ କମ୍ପାନୀ ପ୍ରଦୂଷଣ ବିଭାଗ ଯନ୍ତ୍ରୀଙ୍କୁ ତୈଳଯୁକ୍ତ ଜଳ ମିଶୁଥିବା ନାଳ ମଧ୍ୟକୁ ଠେଲି ଦେଇଥିଲେ। ଏହି ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏ ନେଇ ଗ୍ରାମବାସୀ ଭୟରେ ମୁହଁ ଖୋଲୁ ନ ଥିବା ବେଳେ କାରଖାନା କର୍ତ୍ତୃପକ୍ଷ ମଧ୍ୟ ପ୍ରତିକ୍ରିୟା ଦେବାକୁ ମନା କରିଦେଇଥିଲେ। ଜିଲା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ ପ୍ରଶାନ୍ତ କର କହିଛନ୍ତି, ଖୁବ୍‌ଶୀଘ୍ର ଦେଓଝର ଯାଇ ପାଣି ଯାଞ୍ଚ କରାଯିବ। ଏହା କିପରି ପ୍ରଦୂଷିତ ହୋଇଛି। ଏହାର ତଦନ୍ତ କରାଯିବ ବୋଲି କହିଥିଲେ।