Categories: ଜାତୀୟ

ସର୍ବକନିଷ୍ଠ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ପୁଷ୍କର ସିଂ ଧାମି

ଡେରାଡୁନ,୪।୭: ଉତ୍ତରାଖଣ୍ଡର ସର୍ବକନିଷ୍ଠ ମୁଖ୍ୟମନ୍ତ୍ରୀ ଭାବେ ରବିବାର ଶପଥ ନେଇଛନ୍ତି ପୁଷ୍କର ସିଂ ଧାମି। ଚାରିମାସ ମଧ୍ୟରେ ଉତ୍ତରଖଣ୍ଡର ସେ ତୃତୀୟ ମୁଖ୍ୟମନ୍ତ୍ରୀ ଭାବେ ସେ ଶପଥ ନେଇଛନ୍ତି। ଖଟିମା ବିଧାନସଭା ଆସନର ଯୁବ ବିଧାୟକ ପୁଷ୍କର ସିଂ ଧାମି ରବିବାର ରାଜ୍ୟର ଏକାଦଶ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ରାଜଭବନରେ ଆୟୋଜିତ ଶପଥ ଗ୍ରହଣ ସମାରୋହରେ ରାଜ୍ୟପାଳ ବେବି ରାନୀ ମୌର୍ଯ୍ୟ ତାଙ୍କୁ ଶପଥ ପାଠ କରାଇଥିଲେ। ଏହା ସହିତ ସମସ୍ତ ପୁରୁଣା ମନ୍ତ୍ରୀମାନଙ୍କୁ ଧାମି କ୍ୟାବିନେଟରେ ଅନ୍ତର୍ଭୁକ୍ତ କରାଯାଇଛି। ଆଜି ୧୧ ଜଣ ମନ୍ତ୍ରୀ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ଶପଥ ଗ୍ରହଣ କରିଛନ୍ତି।
ଭାଜପା କେନ୍ଦ୍ରୀୟ ନେତୃତ୍ୱ ପୁଣି ଥରେ ଧାମିଙ୍କ ନାମ ଘୋଷଣା କରି ରାଜନୈତିକ ମହଲରେ ଆଲୋଡନ ସୃଷ୍ଟି କରିଛନ୍ତି। ଭେଟେରାନ ନେତା ସତ୍ୟପାଲ ମହାରାଜ, ତ୍ରିବେନ୍ଦ୍ର ସିଂ ରାୱତ, ଧନସିଂହ ରାୱତଙ୍କ ସମେତ ଅନେକ ବଡ ନାମ ନିର୍ଣ୍ଣାୟକ ମୁହୂର୍ତ୍ତରେ ପଛରେ ପଡ଼ିଯାଇଥିଲା।
ଧାମି ମୁଖ୍ୟମନ୍ତ୍ରୀ ହେବାକୁ ନେଇ କିଛି ବରିଷ୍ଠ ଭାଜପା ନେତା ଅସନ୍ତୁଷ୍ଟ ଅଛନ୍ତି। ଦଳୀୟ ନେତା ସତ୍ୟପାଲ ମହାରାଜ, ମଦନ କୌଶିକ, ସୁବୋଧ ଉଦୟାଲ, ହରକ ସିଂ ରାୱତ, ବିଶନ ସିଂ ଚୁଫାଲ ଏବଂ ଯଶପାଲ ଆର୍ଯ୍ୟଙ୍କ ଭଳି ନେତା ଉତ୍ତରାଖଣ୍ଡ ଭାଜପା ଏବଂ ହାଇକମାଣ୍ଡଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଆଜି ସକାଳୁ ରୁଦ୍ଧ ଦ୍ୱାର ବୈଠକ ଚାଲିଛି।

 

 

Share