Categories: ଜାତୀୟ

ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ହେବେ ପୁଷ୍କର ସିଂହ ଧାମି

ଡେରାଡୁନ,୨୧।୩: ବିଧାନସଭା ନିର୍ବାଚନର ଫଳାଫଳ ପରେ ଉତ୍ତରାଖଣ୍ଡରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ଚେହେରାକୁ ନେଇ ଲାଗିରହିଥିବା ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଛି। ଶେଷରେ ପୁଷ୍କର ସିଂହ ଧାମି ଦ୍ୱିତୀୟ ଥର ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ମୁଖ୍ୟମନ୍ତ୍ରୀ ପଦ ପାଇଁ ଭାଜପା ପୁଷ୍କର ସିଂହ ଧାମିଙ୍କ ନାମକୁ ମୋହର ଲଗାଇଛି। ସୋମବାର ଡେରାଡୁନରେ ଭାଜପା ବିଧାୟକଙ୍କ ଦଳର ଏକ ବୈଠକ ବସିଥିଲା। ଏହି ବୈଠକରେ ପର୍ଯ୍ୟବେକ୍ଷକ ତଥା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ସହପର୍ଯ୍ୟବେକ୍ଷକ ମୀନାକ୍ଷୀ ଲେଖି ଉପସ୍ଥିତ ରହିଥିଲେ। ଏହି ଅବସରରେ ରାଜନାଥ ଓ ମୀନାକ୍ଷୀ ନୂତନ ମୁଖ୍ୟମନ୍ତ୍ରୀ ଭାବେ ପୁଷ୍କର ସିଂହଙ୍କ ନାମକୁ ଘୋଷଣା କରିଥିଲେ। ଏଥିସହ ରାଜନାଥ ସିଂହ କହିଛନ୍ତି, ୬ମାସ କାର୍ଯ୍ୟକାଳ ମଧ୍ୟରେ ଉତ୍ତରାଖଣ୍ଡରେ ଧାମି ମୁଖ୍ୟମନ୍ତ୍ରୀ ଭାବେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ବର୍ତ୍ତମାନ ପୁଣିଥରେ ସେ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇ ବହୁମୁଖୀ ବିକାଶ କରିବେ ବୋଲି ଆଶାପୋଷଣ କରିଛନ୍ତି ରାଜନାଥ। ସୂଚନା ମୁତାବକ, ମୁଖ୍ୟମନ୍ତ୍ରୀ ରେସ୍‌ରେ ପୁଷ୍କର ସିଂହ ଧାମି, ସତ୍‌ପାଲ ମହାରାଜ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ଓ ଏମ୍‌ପି ଅନିଲ ବଲୁନି ସାମିଲ ରହିଥିଲେ। ସୂଚନାଯୋଗ୍ୟ, ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନରେ ଭାଜପା ବହୁମତରେ ବିଜୟ ହାସଲ କରିଥିବା ବେଳେ କିନ୍ତୁ ପୁଷ୍କର ଧାମି ନିର୍ବାଚନ ହାରିଯାଇଥିଲେ। ଯାହାପରେ ମୁଖ୍ୟମନ୍ତ୍ରୀ ଚେହେରାକୁ ନେଇ ଦଳ ମଧ୍ୟରେ ସସ୍‌ପେନ୍ସ ଜାରି ରହିଥିଲା।

Share