Categories: ଜାତୀୟ

ଅଦ୍ଭୁତ ଘଟଣା: ପାଣିରେ ଦିଆସିଲି ମାରିଲେ ଜଳୁଛି ନିଆଁ

ଭୋପାଳ,୨୬।୨: ମଧ୍ୟପ୍ରଦେଶର ଦାମୋହ ଜିଲାରେ ପୂର୍ବରୁ ଅମୂଲ୍ୟ ରତ୍ନ ପାଇଁ ବେଶ୍‌ ପରିଚିତ। ବର୍ତ୍ତମାନ ରତ୍ନ ସହିତ ପେଟ୍ରେଲିୟମ ପଦାର୍ଥ ଏବଂ ଗ୍ୟାସର ଭଣ୍ଡାର ମିଳିଛି। ପ୍ରଥମେ ଗ୍ରାମୀଣ ଅଞ୍ଚଳରେ କିଛିଦିନ ପର୍ଯ୍ୟନ୍ତ ଅଚାନକ ବୋରିଂ ପାଣିରୁ ଗ୍ୟାସ ବାହାରିବା ଘଟଣା ସାମ୍ନାକୁ ଆସିଥିଲା। ମାତ୍ର ଦାମୋହ ଜିଲାର ହାଟା ସବ୍‌ଡିଭିଜନ ଅନ୍ତର୍ଗତ ଗ୍ୟାସ ବାଦ ପୋଲିସ ଷ୍ଟେଶନ ଅଞ୍ଚଳର କାମଟା ଗ୍ରାମରେ ଚାଲିଥିବା ଟ୍ୟୁବ୍‌ଓ୍ବେଲ ଖନନରେ ଗ୍ୟାସ୍‌ ଲିକ୍‌ ସୂଚନା ପାଇବା ପରେ ଯେତେବେଳେ ଅନୁସନ୍ଧାନ କରାଗଲା ସେତେବେଳେ ଚମକପ୍ରଦ ଘଟଣା ଦେଖିବାକୁ ମିଳିଲା।

ହଟା ମୁଖ୍ୟାଳୟଠାରୁ ୨୭ କିଲୋମିଟର ଦୂରରେ ଥିବା ଗ୍ରାମପଞ୍ଚାୟତ ମୁହାରାଇର ଏକ ଛୋଟ ଗାଁରେ ଏହି ନଳକୂପ ଖନନ କରାଯାଇଥିଲା। ସେତେବେଳେ ପାଣିର ସ୍ବାଦ ଆଦୌ ଭଲ ଲାଗିଲା ନାହିଁ। ମେଶିନ ନଳକୂପ ଖୋଳିବା ସମୟରେ ଗନ୍ଧ ଆସୁଥିବା ଅଭିଯୋଗ ହୋଇଥିଲା। ଏହା ପରେ ଦିଆସିଲି ମାରିବାରୁ ଏହା ଜଳିଥିଲା। ପରେ ନିଆଁକୁ ଆୟତ୍ତ କରାଯାଇଥିଲା। ଠିକ୍‌ ସେହିପରି ଦୁଇବର୍ଷ ତଳେ କୃଷକ ମୁନ୍ନା ନିଜ ଜମିକୁ ୩୦୦ ଫୁଟ ଗଭୀରର ବୋରିଂ କରିଥିଲେ। ଏହି ସମୟରେ ମଧ୍ୟ ଗ୍ୟାସ ନିର୍ଗତ ହେଉଥିବା ଯାଞ୍ଚ ସମୟରେ ଜଣାପଡ଼ିଥିଲା।

Share