ମସ୍କୋ, ୨୦। ୩: ଚାଇନା ରାଷ୍ଟ୍ରପତି ଶି ଜିନ୍ପିଙ୍ଗ ସୋମବାର ମସ୍କୋରେ ପହଞ୍ଚିଛନ୍ତି। ୟୁକ୍ରେନ୍ ଉପରେ ରୁଷିଆ ଆକ୍ରମଣପରଠାରୁ ଏହା ଜିନ୍ପିଙ୍ଗ୍ଙ୍କ ପ୍ରଥମ ରୁଷିଆ ଗସ୍ତ। ଶି ଜିନ୍ପିଙ୍ଗ୍ କ୍ରେମଲିନ୍ରେ ପୁଟିନ୍ଙ୍କୁ ଭେଟିଛନ୍ତି। ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଲାଗି ରହିଥିବା ବିବାଦର ସମାଧାନ ପାଇଁ ଜିନ୍ପିଙ୍ଗ୍ଙ୍କ ଶାନ୍ତି ପ୍ରସ୍ତାବରେ ପୁଟିନ୍ ରାଜି ଥିବା କ୍ରେମଲିନ୍ ମୁଖପାତ୍ର ଡିମିଟ୍ରି ପେସକୋଭ କହିଛନ୍ତି। ଅନ୍ୟପକ୍ଷେ ରୁଷିଆର ପରବର୍ତ୍ତୀ ପର୍ଯ୍ୟାୟ ରାଷ୍ଟ୍ରପତି ନିିର୍ବାଚନରେ ପୁଟିନ୍ଙ୍କୁ ଦେଶବାସୀଙ୍କ ସମର୍ଥନ ମିଳିବ ବୋଲି ଜିନ୍ପିଙ୍ଗ୍ କହିଛନ୍ତି। ଅନ୍ୟପକ୍ଷେ ଯୁଦ୍ଧ ଶେଷ କରିବା ଲାଗି ରୁଷିଆ ସବୁବେଳେ ଆଲୋଚନା ପାଇଁ ପ୍ରସ୍ତୁତ ଥିବା ପୁଟିନ୍ କହିଛନ୍ତି। ଜିନ୍ପିଙ୍ଗ୍ଙ୍କ ୩ ଦିନିଆ ମସ୍କୋ ଗସ୍ତ ଉପରେ ପାଶ୍ଚାତ୍ୟ ଦେଶଗୁଡ଼ିକର ନଜର ରହିଛି। ବେଜିଂର ମଧ୍ୟସ୍ଥତା ଦ୍ୱାରା ଯୁଦ୍ଧ ଶେଷ ହେବା ନେଇ ଆଶା ଥିବା ୟୁକ୍ରେନ୍ ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ଓଲେଗ ନିକୋଲେଙ୍କୋ କହିଛନ୍ତି। କିଛିଦିନ ପୂର୍ବେ ଯୁଦ୍ଧ ପାଇଁ ରୁଷିଆକୁ ସାମରିକ ବଳ ସହଯୋଗ ଚାଇନା ପକ୍ଷରୁ ଯୋଗାଯାଉଥିବା ଆମେରିକା ଅଭିଯୋଗ ଆଣିଥିଲା।