କ୍ରୁର କର୍ନେଲଙ୍କୁ ଉପ ପ୍ରତିରକ୍ଷାମନ୍ତ୍ରୀ ପଦ ଦେଲେ ପୁଟିନ୍‌, ମାରିଆପୁଲରେ ବୁହାଇଥିଲେ ରକ୍ତର ନଦୀ…

ମସ୍କୋ, ୨୫।୯ : ୟୁକ୍ରେନ ସହ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ତାଙ୍କ ଡେପୁଟି ପ୍ରତିରକ୍ଷା ମନ୍ତ୍ରୀଙ୍କୁ ହଟାଇ ଦେଇଛନ୍ତି। ରୁଷିଆର ପ୍ରତିରକ୍ଷା ମନ୍ତ୍ରଣାଳୟ ଏହି ବିଷୟରେ ସୂଚନା ଦେଇଛି। ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଆର୍ମି ଜେନେରାଲ ଦିମିତ୍ରି ବୁଲଗାକୋଭଙ୍କୁ ତାଙ୍କ କର୍ତ୍ତବ୍ୟରୁ ହଟାଇ ଦିଆଯାଇଛି। ଜେନେରାଲ ଦିମିତ୍ରିଙ୍କ ସ୍ଥାନରେ ପୁଟିନ ଜଣେ କ୍ରୁର ଏବଂ ନିଷ୍ଠୁର ଜେନେରାଲ ଦାୟିତ୍ୱ ଦେଇଛନ୍ତି। ଲୋକମାନେ ତାଙ୍କୁ ମାରିଆପୁଲର କଂସେଇ ବୋଲି ମଧ୍ୟ ଡାକନ୍ତି। ଦିମିତ୍ରିଙ୍କୁ ଯୁଦ୍ଧର ସାମଗ୍ରୀ ପରିବହନ ପାଇଁ ଦାୟୀ କରାଯାଇଛି । ଫଳରେ ରୁଷିଆକୁ ଯୁଦ୍ଧରେ ବହୁ କ୍ଷତି ସହିବାକୁ ପଡ଼ିଛି।

ଦିମିତ୍ରିଙ୍କ ସ୍ଥାନରେ ବର୍ତ୍ତମାନ ୬୦ ବର୍ଷିୟ କର୍ନେଲ ଜେନେରାଲ ମିଖାଇଲ ମିଜିନସ୍ତେଭଙ୍କୁ ଅବସ୍ଥାପିତ କରାଯାଇଛି।

ମାରିଆପୁଲ ଦଖଲ କରିବା ସମୟରେ ମିଜିନସ୍ତେଭଙ୍କ ନେତୃତ୍ୱରେ ରୁଷିଆର ସେନା ବହୁ ଲୋକଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରିଥିବା ଏବଂ ଅନେକ ଲୋକଙ୍କୁ ଗିରଫ କରିଥିବା ଅଭିଯୋଗ ହୋଇଥିଲା। ସେଠାରେ ପ୍ରାୟ ୨୦୦ଲୋକଙ୍କ ମୃତଦେହ ମିଳିଥିଲା। ତେବେ ୟୁକ୍ରେନ କହୁଛି ପ୍ରକୃତ ସଂଖ୍ୟା ବହୁତ ଅଧିକ ହୋଇପାରେ । ନିକଟରେ ୟୁକ୍ରେନରେ ନିୟୋଜନ ପାଇଁ ପ୍ରାୟ ତିନି ଲକ୍ଷ ସୈନିକ ପଠାଯିବ ବୋଲି ରାଷ୍ଟ୍ରପତି ପୁଟିନ ଘୋଷଣା କରିଛନ୍ତି। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ପ୍ରଥମ ଥର ପାଇଁ ରୁଷିଆ ପକ୍ଷରୁ ଏତେ ସଂଖ୍ୟକ ସୈନ୍ୟ ମୁତୟନ ହେବେ।

ଦୁଇ ଦିନ ପୂର୍ବେ, ରୁଷିଆ ୨୧୫ ଜଣଙ୍କୁ ମୁକ୍ତ କରିଥିଲା, ଯେଉଁମାନେ ମାରିଆପୁଲରେ ବନ୍ଦୀ ହୋଇଥିଲେ। ସେମାନଙ୍କ ମଧ୍ୟରେ ୟୁକ୍ରେନର ଅନେକ ବରିଷ୍ଠ ନେତା ମଧ୍ୟ ଥିଲେ। ଆଜୋଭରେ ଧରାଯାଇଥିବା ୟୁକ୍ରେନ କମାଣ୍ଡର ତଥା ଡେପୁଟି କମାଣ୍ଡରଙ୍କୁ ମଧ୍ୟ ରୁଷିଆ ମୁକ୍ତ କରିଛି। ରୁଷିଆର ଏହି ପଦକ୍ଷେପକୁ ଆଶ୍ଚର୍ଯ୍ୟଜନକ ବୋଲି ବର୍ଣ୍ଣନା କରାଯାଉଛି। ଆଜୋଭରେ ଧରାଯାଇଥିବା ଏହି ଦୁଇ ସାମରିକ ନେତାଙ୍କୁ ନାଜି ବୋଲି କୁହାଯାଉଛି। ଏଭଳି ପରିସ୍ଥିତିରେ ସେମାନଙ୍କୁ ମୁକ୍ତ କରିବା ଏକ ଆଶ୍ଚର୍ଯ୍ୟଜନକ ନିଷ୍ପତ୍ତି ବୋଲି ଚର୍ଚ୍ଚା ହେଉଛି।

ସମ୍ପ୍ରତି ମାରିଆପୁଲରେ ରୁଷିଆ ପକ୍ଷରୁ ଏକ ଜନମତ ସଂଗ୍ରହ ମଧ୍ୟ କରାଯାଉଛି। ଏଥିପାଇଁ ଲୋକଙ୍କ ଉପରେ ଚାପ ପକା ଯାଉଛି। ସେମାନଙ୍କୁ ଭୋଟ ଦେବାକୁ କୁହାଯାଉଛି ଅନ୍ୟଥା ସେମାନଙ୍କୁ ଚାକିରୀ ହରାଇବାକୁ ପଡିବ ବୋଲି ଧମକା ଯାଉଛି।

Share