ଭାଙ୍ଗିଗଲା ପୁଟିନ୍‌ଙ୍କ ବଡ଼ ଝିଅଙ୍କ ସ୍ବପ୍ନ

ମସ୍କୋ, ୨୪ା୩: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ବଡ଼ ଝିଅ ଡା. ମାରିଆ ଭୋରୋଣ୍ଟସୋଭା(୩୬) ତାଙ୍କ ଡଚ୍‌ ବ୍ୟବସାୟୀ ସ୍ବାମୀ ଜୋରିଟ୍‌ ଫାସେନ୍‌ଙ୍କଠାରୁ ଅଲଗା ହୋଇଛନ୍ତି। ୟୁକ୍ରେନ୍‌ ଉପରେ ରୁଷିଆ ଆକ୍ରମଣ ପୂର୍ବରୁ ଉଭୟଙ୍କ ବିବାହ ବିଚ୍ଛେଦ ହୋଇଥିବା ନେଇ ଏକ ରିପୋର୍ଟରେ ପ୍ରକାଶ ପାଇଛି। ତେବେ ଏହାର କାରଣ ଜଣାପଡ଼ିନାହିଁ। ଅନ୍ୟପଟେ ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣ ଯୋଗୁ ମାରିଆଙ୍କ ହାଇପ୍ରୋଫାଇଲ ସ୍ବପ୍ନ ମଧ୍ୟ ଭାଙ୍ଗିଯାଇଥିବା ଜଣାପଡ଼ିଛି। ପୁଟିନ୍‌ କେଜିବି ସ୍ପାଏ ଭାବେ ରୁଷିଆ ପାଇଁ ଗୁପ୍ତଚରଗିରି କରୁଥିବା ବେଳେ ମାରିଆ ଜନ୍ମ ହୋଇଥିଲେ। ସେ ପୁଟିନ୍‌ଙ୍କ ପୂର୍ବତନ ସ୍ତ୍ରୀ ଲ୍ୟୁଡମିଲାଙ୍କ ଝିଅ। ମାରିଆ ପିଲାମାନଙ୍କଠାରେ ଦେଖାଯାଉଥିବା କେତେକ ବିରଳ ଜିନ୍‌ଗତ ରୋଗର ହେଉଛନ୍ତି ବିଶେଷଜ୍ଞ। ରୁଷିଆରୁ ନିର୍ବାସିତ ହୋଇଥିବା ଖବରଦାତା ସେରଗି କାନେଭ୍‌ ଏକ ରିପୋର୍ଟରେ ପ୍ରକାଶ କରିଛନ୍ତି ଯେ, ମାରିଆ ରୁଷିଆର ସେଣ୍ଟ ପିଟର୍ସବର୍ଗରେ ଏକ ସୁପର ମଡର୍ନ ମେଡିକାଲ ସେଣ୍ଟର ଖୋଲିବାକୁ ଚାହୁଁଥିଲେ। ଏହି ମେଗା ପ୍ରୋଜେକ୍ଟରେ ମାରିଆଙ୍କ ବଡ଼ ଭାଗ ଥିଲା। ସେଠାରେ ଚିକିତ୍ସା ନିମନ୍ତେ ୟୁରୋପ ଏବଂ ପର୍ସିଆନ୍‌ ଗଲ୍ଫ ଦେଶର ଧନୀ ବ୍ୟକ୍ତିଙ୍କୁ ଆକର୍ଷିତ କରିବାକୁ ମାରିଆଙ୍କ ଯୋଜନା ଥିଲା। ହେଲେ ୟୁକ୍ରେନ୍‌ ଆକ୍ରମଣ ପରେ ୟୁରୋପୀୟ ଦେଶଗୁଡ଼ିକ ସମେତ ଅନ୍ୟ ରାଷ୍ଟ୍ରମାନେ ମଧ୍ୟ ରୁଷିଆ ଉପରେ କଠୋର କଟକଣା ଲଗାଇଛନ୍ତି। ଏଥିଯୋଗୁ ମାରିଆଙ୍କ ସ୍ବପ୍ନ ପୂରଣ ହୋଇପାରିନାହିଁ। ସୂଚନାଯୋଗ୍ୟ ମାରିଆଙ୍କ ସ୍ବାମୀ ଫାସେନ୍‌ ପାଶ୍ଚାତ୍ୟ ଦେଶ ନେଦରଲାଣ୍ଡ୍‌ସର ଜଣେ ବିଜ୍‌ନେସମ୍ୟାନ। ତାଙ୍କ ବାପା ଡଚ୍‌ ସଶସ୍ତ୍ର ବଳର କଲୋନେଲ ଥିଲେ।

Share