ଯୁଦ୍ଧ ପାଇଁ ପୁଟିନଙ୍କ ମନରେ ନାହିଁ ପଶ୍ଚାତାପ…

ମସ୍କୋ,୨୬।୧୧ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ହେବାକୁ ପ୍ରାୟ ନଅ ମାସ ବିତିଲାଣି। ଉଭୟ ପକ୍ଷର ହଜାର ହଜାର ସୈନିକଙ୍କ ମୃତ୍ୟୁ ଘଟିଛି। ନେକ ସହର ଧ୍ୱଂସ ହୋଇଯାଇଛି ଏବଂ ଲକ୍ଷ ଲକ୍ଷ ଲୋକ ବିସ୍ଥାପିତ ହୋଇଛନ୍ତି, କିନ୍ତୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏହି ଯୁଦ୍ଧ ନେଇ ଦୁଃଖିତ ନୁହନ୍ତି। ପୁଟିନଙ୍କର କୌଣସି ପଶ୍ଚାତାପ ନାହିଁ। ସେ କହିଛନ୍ତି ଯେ ରୁଷିଆ ଯେକୌଣସି ମୂଲ୍ୟରେ ୟୁକ୍ରେନରେ ନିଜର ଲକ୍ଷ୍ୟ ହାସଲ କରିବ।

ସୂଚନା ଅନୁଯାୟୀ, ପୁଟିନ ୟୁକ୍ରେନରେ ଯୁଦ୍ଧ କରୁଥିବା ରୁଷିଆର ସୈନିକମାନଙ୍କ ମାତାଙ୍କୁ ଭେଟିଥିଲେ। ଏହି ସମୟରେ ସେ ୟୁକ୍ରେନକୁ ନେଇ ନିଜର ଲକ୍ଷ୍ୟକୁ ଦୋହରାଇଥିଲେ। ସେ କହିଛନ୍ତି ଯେ ସମଗ୍ର ରୁଷିଆର ନେତୃତ୍ୱ ସୈନିକମାନଙ୍କ ପରିବାର ସହିତ ଅଛନ୍ତି ଏବଂ ସେମାନଙ୍କର ଯନ୍ତ୍ରଣା ବୁଝୁଛନ୍ତି। ତେବେ, ୟୁକ୍ରେନରେ ନିଜର ସାମରିକ ଅପରେଶନର ଲକ୍ଷ୍ୟ ହାସଲ କରିବା ପରେ ମସ୍କୋ ପଛକୁ ଫେରିବ ବୋଲି ସେ କହିଛନ୍ତି।

ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ପୁଟିନ ୧୭ ଶହୀଦ ସୈନିକଙ୍କ ମାତାଙ୍କୁ ଭେଟିଥିଲେ। ଏହି ସମୟରେ ସେ ଭାବପ୍ରବଣ ମଧ୍ୟ ହୋଇଥିଲେ। ଆମେ ବଜଝିପାରୁଛୁ ଯେ ଆପଣମାନଙ୍କର ପୁଅର ସ୍ଥାନ କେହି ନେଇପାରିବେ ନାହିଁ। ବିଶେଷକରି ପୁଅଙ୍କୁ ହରାଇ ଥିବା ଜଣେ ମାତାଙ୍କର ଯନ୍ତ୍ରଣା ଆମେ ବୁଝି ପାରୁଛୁ। ଏହି ସମୟରେ ପୁଟିନ କହିଛନ୍ତି ଯେ ୟୁକ୍ରେନ ବିରୋଧରେ ହୋଇଥିବା ସ୍ବତନ୍ତ୍ର ସାମରିକ ଅପରେଶନକୁ ନେଇ ସେ ଦୁଃଖିତ ନୁହନ୍ତି। ସେ ଏହି ଯୁଦ୍ଧକୁ ପାଶ୍ଚାତ୍ୟ ଆଧିପତ୍ୟ ବିରୋଧରେ ରୁଷିଆର ସ୍ବର ବୋଲି ସେ କହିଛନ୍ତି।

ରିପୋର୍ଟରେ ଦର୍ଶାଯାଇଛି ଯେ ପୁଟିନ ଏହି ସାକ୍ଷାତ ସମୟରେ ନୋଭୋରୋସିଆ ଶବ୍ଦ ବ୍ୟବହାର କରିଥିଲେ। ଏହାର ଆକ୍ଷରିକ ଅର୍ଥ ହେଉଛି ନୂଆ ରୁଷିଆ। ନୂତନ ରୁଷିଆର ସୀମା ରକ୍ଷା କରିବାକୁ ଲଢୁଥିବା ସୈନିକମାନଙ୍କୁ ମଧ୍ୟ ସେ ପ୍ରଶଂସା କରିଛନ୍ତି।

Share