ନୂଆଦିଲ୍ଲୀ, ୬ା୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍ ସୋମବାର ଭାରତ ଆସିବେ। ୨୧ତମ ଭାରତ-ରୁଷିଆ ବାର୍ଷିକ ସମ୍ମିଳନୀରେ ସେ ଯୋଗଦେବେ। ୨୦୧୯ ନଭେମ୍ବରରେ ବ୍ରିକ୍ସ ସମ୍ମିଳନୀ ପରଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମ କରି ପୁଟିନଙ୍କୁ ସାମ୍ନା ସାମ୍ନି ଭେଟିବେ। ଏହି ଅବସରରେ ୭.୫ ଲକ୍ଷ ଏକେ-୨୦୩ ରାଇଫଲ ନିର୍ମାଣ ଡିଲ୍ ସମେତ ଯୋଗାଯୋଗ, ପରିବହନ, ମହାକାଶ, ସାମରିକ-ବୈଷୟିକ ସହଯୋଗ, ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା, ଶିକ୍ଷା, ଓ ସଂସ୍କୃତି ଭଳି ୧୦ରୁ ଊର୍ଦ୍ଧ୍ୱ ପ୍ରସଙ୍ଗରେ ଦ୍ୱିପାକ୍ଷିକ ଚୁକ୍ତି ସ୍ବାକ୍ଷର ହୋଇପାରେ। ଏସ୍-୪୦୦ ମିଶାଇଲ ଡିଫେନ୍ସ ସିଷ୍ଟମ ଡେଲିଭରୀ ଉପରେ ମଧ୍ୟ ଆଲୋଚନା ହୋଇପାରେ। ଏହାସହିତ ରୁଷିଆ ଓ ଭାରତ ୨+୨ ଡାଏଲଗ୍ରେ ଉଭୟ ଦେଶର ବହିର୍ବ୍ୟାପାର ଏବଂ ପ୍ରତିରକ୍ଷା ମନ୍ତ୍ରଣାଳୟ ମଧ୍ୟରେ ଆଲୋଚନା ହେବ।