ପୁଟିନ୍‌ ହମାସ୍‌ ସଦୃଶ

ଓ୍ବାଶିଂଟନ୍‌,୨୧ା୧୦: ଇସ୍ରାଏଲ ଓ ୟୁକ୍ରେନ୍‌କୁ ଯୁଦ୍ଧରେ ସମର୍ଥନ ପାଇଁ ଆମେରିକୀୟମାନେ ଆହୁରି ଅନେକ ବିଲିୟନ୍‌ ଡଲାର ଖର୍ଚ୍ଚ କରିବା ଉଚିତ। ଦେଶବାସୀଙ୍କୁ ଏହା ବୁଝାଇବା ପାଇଁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଏକ ନୂଆ ମିଶନ ଆରମ୍ଭ କରିଛନ୍ତି। ଆମେରିକା ହିଁ ବିଶ୍ୱରୁ ଅରାଜକତା ଦୂର କରିପାରିବ ବୋଲି ସେ ଯୁକ୍ତି ବାଢ଼ିଛନ୍ତି।
ଫେରିବା ପରେ ହ୍ବାଇଟ୍‌ ହାଉସ୍‌ର ଓଭାଲ ଅଫିସରେ ଗୁରୁବାର ଦେଶବାସୀଙ୍କୁ ସମ୍ବୋଧିତ କରି ବାଇଡେନ୍‌ କହିଛନ୍ତି, ବିଶ୍ୱକୁ ଆମେରିକୀୟ ନେତୃତ୍ୱ ଏକାଠି କରି ରଖିଥାଏ। ଆମେରିକୀୟ ମେଣ୍ଟଗୁଡ଼ିକ ଆମକୁ ଓ ଆମେରିକାକୁ ସୁରକ୍ଷିତ ରଖିଥାଏ। ଏହି ଅବସରରେ ସେ ୨୦୨୨ ଫେବୃୟାରୀରେ ୟୁକ୍ରେନ୍‌ ଆକ୍ରମଣ କରିଥିବା ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କୁ ଗାଜା ଷ୍ଟ୍ରିପ୍‌ର ଶାସକ ତଥା ଆତଙ୍କବାଦୀ ସଙ୍ଗଠନ ହମାସ୍‌ ସହ ତୁଳନା କରିଛନ୍ତି। ବାଇଡେନ୍‌ କହିଛନ୍ତି, ହମାସ୍‌ ଓ ପୁଟିନ୍‌ ଭିନ୍ନ ଆତଙ୍କର ପ୍ରତୀକ। କିନ୍ତୁ ସେମାନଙ୍କଠାରେ ରହିଥିବା ବଡ଼ ସମାନତା ହେଉଛି, ଉଭୟ ହମାସ୍‌ ଓ ପୁଟିନ୍‌ ନିଜ ନିଜ ପଡ଼ୋଶୀ ରାଷ୍ଟ୍ରର ଗଣତନ୍ତ୍ରକୁ ମୂଳୋତ୍ପାଟନ କରିବାକୁ ଚାହୁଁଛନ୍ତି।
ଯୁଦ୍ଧଗୁଡ଼ିକୁ କାହିଁକି ସମର୍ଥନ କରୁଛି ବୋଲି କେତେଜଣ ଦେଶବାସୀ ପ୍ରଶ୍ନ କରୁଛନ୍ତି। ଏଥିରୁ ଆମେରିକାକୁ କ’ଣ ମିଳିବ, ତାହା ସେମାନେ ଜାଣିବାକୁ ଚାହାନ୍ତି। ଏହି ସଂଘର୍ଷଗୁଡ଼ିକ ଲମ୍ବା ଚାଲିବ। ଆତଙ୍କବାଦୀମାନେ ନିଜ ଆତଙ୍କବାଦ କାର୍ଯ୍ୟକଳାପ ପାଇଁ ଦଣ୍ଡିତ ନ ହେଲେ ଓ ଏକଚ୍ଛତ୍ରବାଦୀମାନେ ନିଜ ଅତିକ୍ରମଣ ଲାଗି ମୂଲ୍ୟ ନ ଦେଲେ ସେମାନେ ଅଧିକ ଅରାଜକତା ସୃଷ୍ଟି କରି ଧ୍ୱଂସର ଲୀଳା ରଚିଥାଆନ୍ତି। ସେମାନେ ନିଜ ଅଭିଯାନ ଜାରି ରଖିଲେ ଆମେରିକା ସମେତ ବିଶ୍ୱ ପାଇଁ ବିପଦ ଦେଖାଦେଇଥାଏ। ଏକଥା ଇତିହାସ ଆମକୁ ଶିକ୍ଷା ଦେଇଛି। ପୁଟିନ୍‌ଙ୍କୁ ରୋକା ନ ଗଲେ ସେ ପୋଲାଣ୍ଡ, ଏଷ୍ଟୋନିଆ, ଲାଟ୍‌ଭିଆ ଓ ଲିଥୁଆନିଆ ସମେତ ନର୍ଥ ଆଟଲାଣ୍ଟିକ୍‌ ଟ୍ରିଟି ଅର୍ଗାନେଇଜେଶନ୍‌ (ନାଟୋ) ପାଇଁ ବିପଦ ସାଜିବେ। ପୁଟିନ୍‌ କୌଣସି ନାଟୋ ସଦସ୍ୟ ରାଷ୍ଟ୍ରର ୧ ଇଞ୍ଚ ଭୂମି ଛଡ଼ାଇନେଲେ ଆମେ ଏହି ସାମରିକ ମେଣ୍ଟର ପ୍ରତି ଇଞ୍ଚ ଭୂମିକୁ ସୁରକ୍ଷା ଦେବୁ ବୋଲି ବାଇଡେନ୍‌ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଆମେରିକା କାର୍ଯ୍ୟାନୁଷ୍ଠାନ ନ ନେଲେ ମଧ୍ୟପ୍ରାଚ୍ୟ ସମେତ ଅନ୍ୟ ବିଶ୍ୱର ଭାଗଗୁଡ଼ିକରେ ସଂଘର୍ଷଜନିତ ବିପଦ ଓ ଅରାଜକତା ବଢ଼ିଚାଲିବ ବୋଲି ବାଇଡେନ୍‌ କହିଛନ୍ତି। ବାଇଡେନ୍‌ ଅତିରିକ୍ତ ଖର୍ଚ୍ଚ ପାଇଁ ୧୦୫ ବିଲିୟନ୍‌ ଡଲାର ମଞ୍ଜୁର କରିବାକୁ କଂଗ୍ରେସକୁ ଅନୁରୋଧ କରିଛନ୍ତି। ସେଥିରୁ ୟୁକ୍ରେନ୍‌କୁ ୬୦ ବିଲିୟନ୍‌ ଡଲାର ଏବଂ ଇସ୍ରାଏଲକୁ ୧୪ ବିଲିୟନ୍‌ ଡଲାର ସହାୟତା ଦିଆଯିବ ବୋଲି ସୂତ୍ରରୁ ଜଣାପଡ଼ିଛି।

Share