
କ୍ୱିଭ୍,୨୭।୩: ରୁଷିଆ ରାଷ୍ଟ୍ରପତିଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି। ଏବେ ୟୁକ୍ରେନର ରାଷ୍ଟ୍ରପତି ମଧ୍ୟ ତାଙ୍କ ସମ୍ପର୍କରେ ଏକ ନୂତନ ଦାବି କରିଛନ୍ତି। ରୁଷିଆ ରାଷ୍ଟ୍ରପତିଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ନେଇ ଚାଲିଥିବା କଳ୍ପନାଜଳ୍ପନା ମଧ୍ୟରେ ୟୁକ୍ରେନୀୟ ରାଷ୍ଟ୍ରପତି ଭ୍ଲାଡିମିର ଜେଲେନସ୍କି କହିଛନ୍ତି, “ଭ୍ଲାଦିମିର ପୁଟିନ ଶୀଘ୍ର ମୃତ୍ୟୁବରଣ କରିବେ”। ସେ ଆହୁରି ମଧ୍ୟ କହିଛନ୍ତି ଯେ ପୁଟିନଙ୍କ ଶୀଘ୍ର ମୃତ୍ୟୁ ଏକ ତଥ୍ୟ।
ମଙ୍ଗଳବାର ଆମେରିକା ନେତୃତ୍ୱାଧୀନ କୃଷ୍ଣସାଗର ଅସ୍ତ୍ରବିରତି ଚୁକ୍ତିନାମା ପରେ ଶାନ୍ତି ସମ୍ପର୍କରେ ଆଲୋଚନା କରିବା ପାଇଁ ସେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କୁ ଭେଟିଥିଲେ। ଯେପର୍ଯ୍ୟନ୍ତ ପୁଟିନ କ୍ଷମତାରେ ରହିବେ, ସେପର୍ଯ୍ୟନ୍ତ ଆମେରିକା ରୁଷିଆର ପ୍ରତାରଣା ବିରୁଦ୍ଧରେ ନିଜର ଦୃଢ଼ ସଂକଳ୍ପ ବଜାୟ ରଖିବାକୁ ଜେଲେନସ୍କି ଅନୁରୋଧ କରିଛନ୍ତି। ଏହି ଚୁକ୍ତିନାମା ଉପରେ ଆଲୋଚନା କରିବା ପାଇଁ ଏକ ମିଡିଆ ଶୋ’ରେ ଥିଲେ, ଯେଉଁଥିରେ ସେ ପୁଟିନଙ୍କ ସ୍ବାସ୍ଥ୍ୟାବସ୍ଥା ବିଷୟରେ ମନ୍ତବ୍ୟ ଦେଇଥିଲେ।
ଭ୍ଲାଡିିମିର ପୁଟିନ ଗତ ୨୫ ବର୍ଷ ଧରି ରୁଷିଆରେ କ୍ଷମତାରେ ଅଛନ୍ତି। ପୁଟିନଙ୍କ ବୟସ ୭୨ ବର୍ଷରୁ ଅଧିକ ଏବଂ ସେ ଅନେକ ରୋଗରେ ମଧ୍ୟ ପୀଡିତ। ଗତ ବର୍ଷ ଅକ୍ଟୋବରରେ ପୁଟିନଙ୍କୁ ମଧ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ଯେତେବେଳେ ତାଙ୍କୁ ହୃଦଘାତ ହୋଇଥିବା ଦାବି କରାଯାଇଥିଲା।
ତିନି ବର୍ଷ ଧରି ଚାଲିଥିବା ରୁଷ-ୟୁକ୍ରେନ ଯୁଦ୍ଧରେ ଶାନ୍ତିର ଦ୍ୱାର ଖୋଲିବା ପରି ମନେ ହେଉଛି। ସାଉଦି ଆରବରେ ଆଲୋଚନା ପରେ, କୃଷ୍ଣସାଗରରେ ଦୁଇ ଦେଶ ମଧ୍ୟରେ ଏକ ଅସ୍ଥାୟୀ ଯୁଦ୍ଧବିରତି ଚୁକ୍ତିନାମା ହୋଇଛି ଏବଂ ଏହା ଖୁବଶୀଘ୍ର ସ୍ଥାୟୀ ଯୁଦ୍ଧବିରତିରେ ପରିଣତ ହେବାର ଆଶା କରାଯାଉଛି।
ଗୁରୁବାର ଦିନ ସ୍ଥାୟୀ ଯୁଦ୍ଧବିରତି ପରେ ୟୁକ୍ରେନକୁ ସମର୍ଥନ କରିବା ପାଇଁ ରଣନୀତି ଉପରେ ୟୁରୋପୀୟ ସଂଘ ଏକ ବୈଠକ କରିବାକୁ ଯାଉଛି। ଇଚ୍ଛୁକ EU ଦେଶଗୁଡ଼ିକରୁ ଶାନ୍ତିରକ୍ଷୀମାନଙ୍କୁ ନିୟୋଜିତ କରିବା ବିଷୟରେ ବିଚାର କରାଯାଉଛି, ଯଦିଓ ମାକ୍ରନ ଚେତାବନୀ ଦେଇଥିଲେ ଯେ ଏହା ରୁଷିଆ ସହିତ ସିଧାସଳଖ ମୁକାବିଲାର କାରଣ ହୋଇପାରେ। ଏହା ବ୍ୟତୀତ ମାକ୍ରନ ୟୁକ୍ରେନ ପାଇଁ ୨ ବିଲିୟନ ଡଲାରର ଅତିରିକ୍ତ ସାମରିକ ସହାୟତା ଘୋଷଣା କରିଛନ୍ତି।