ପୂର୍ବ ୟୁକ୍ରେନର ବିଦ୍ରୋହୀ ଅଞ୍ଚଳକୁ ସ୍ୱତନ୍ତ୍ର ଦେଶର ମାନ୍ୟତା ଦେଲା ରୁଷିଆ

ମସ୍କୋ,୨୨ ।୨: ୟୁକ୍ରେନ ମାମଲାରେ ଏକ ବଡ ପଦକ୍ଷେପ ସ୍ୱରୂପ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ସୋମବାର ପୂର୍ବ ୟୁକ୍ରେନର ବିଦ୍ରୋହୀ ଅଞ୍ଚଳ ଡେନେତ୍ସକ ଓ ଲୁହାସ୍କକୁ ସ୍ୱତନ୍ତ୍ର ଦେଶର ମାନ୍ୟତା ଦେବା ସହ ସୁରକ୍ଷା ଚୁକ୍ତିନାମା ମଧ୍ୟ କରିଛନ୍ତି । ଏହାସହ ପୁଟିନ ୟୁକ୍ରେନ ସେନାକୁ ଉକ୍ତ ଅଞ୍ଚଳରେ ଗୁଳି ଚାଳନା ନ କରିବାକୁ କହିଛନ୍ତି । ସେ କହିଛନ୍ତି ଚୁକ୍ତିନାମା ଅନୁଯାୟୀ, ଏବେ ଏହି ଅଞ୍ଚଳର ସୁରକ୍ଷାର ଦାୟିତ୍ୱ ରୁଷିଆର ।
ଦେଶକୁ ସମ୍ବୋଧନ ଦେବା ଅପସରରେ ପୁଟିନ କହିଛନ୍ତି ରୁଷିଆର ନିଜସ୍ୱ ସୁରକ୍ଷା ଅଧିକାର ରହିଛି ଓ ଏହା ସେ ସମ୍ଭାଳି ପାରିବେ । ପଶ୍ଚିମ ଦେଶ ନାଟୋକୁ ବିସ୍ତାର କରିବାକୁ ଲଗାତାର ଭାବେ ଚାପ ପ୍ରୟୋଗ ସହ ବ୍ଲାକମେଲ କରିବାକୁ ଚେଷ୍ଟା କରୁଛନ୍ତି । ଏବେ ୟୁକ୍ରେନ ପରମାଣୁ ଅସ୍ତ୍ରଶସ୍ତ୍ର ବିକଶିତ କରିବାକୁ ଚେଷ୍ଟା କରୁଛି । ଏହା ରୁଷିଆ ପ୍ରତି ବିପଦ ବଢାଇବ । ରୁଷିଆ ରାଷ୍ଟ୍ରପତି ଆହୁରି ମଧ୍ୟ କହିଛନ୍ତି ୨୦୦୦ ମସିହାରେ ଆମେରିକା ତତକାଳୀନ ରାଷ୍ଟ୍ରପତି ବିଲ କ୍ଲିଣ୍ଟନଙ୍କ ସହ ରୁଷିଆର ନାଟୋରେ ଯୋଗଦେବାର ସମ୍ଭାବନା ବିଷୟରେ କଥାବାର୍ତ୍ତା ହୋଇଥିଲା । ହେଲେ ଶୀତଳ ଯୁଦ୍ଧର ମାନସିକତାରେ ପୀଡିତ ଆମେରିକା ଏହି ପ୍ରସ୍ତାବ ପ୍ରତି ଧ୍ୟାନ ଦେଇ ନ ଥିଲା । ରୁଷିଆ ଭଳି ଏକ ବଡ ଓ ଶକ୍ତିଶାଳୀ ଦେଶକୁ ନାଟୋକୁ ନେବାକୁ ଆମେରିକା ପ୍ରସ୍ତୁତ ନ ଥିଲା । ଆମେରିକା ଛୋଟ ଓ ଦୁର୍ବଳ ଦେଶକୁ ଚାହୁଁଥିଲା । ହେଲେ ଏବେ ଆମର ସୁରକ୍ଷା ପାଇଁ ଆମକୁ ବିଶ୍ୱାସ ଦରକାର । ଆମକୁ ଏକ ସ୍ପଷ୍ଟ ନିଶ୍ଚିତତା ଦରକାର ଯେ ନାଟୋ ବିସ୍ତାର ହେବ ନାହିଁ ।

Share