୩ ଲକ୍ଷ ସୈନ୍ୟ ସଂଗ୍ରହ ପାଇଁ ପୁଟିନ୍‌ଙ୍କ ନିର୍ଦ୍ଦେଶ, ପାଶ୍ଚାତ୍ୟ ଦେଶଙ୍କୁ ଚେତାବନୀ…

ମସ୍କୋ, ୨୧।୯ : ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ବୁଧବାର ୟୁକ୍ରେନ ଯୁଦ୍ଧ ମଧ୍ୟରେ ଦେଶରେ ୩ ଲକ୍ଷ ସୈନ୍ୟ ସଂଗ୍ରହ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ପାଶ୍ଚାତ୍ୟ ଦେଶ ରୁଷିଆକୁ ଧ୍ୱଂସ ଏବଂ ଦୁର୍ବଳ କରିବାକୁ ଷଡଯନ୍ତ୍ର କରୁଛନ୍ତି। ଏହି ଦେଶଗୁଡିକ ସୀମା ଅତିକ୍ରମ କରିଛନ୍ତି। ଏହା ସହିତ ପୁଟିନ ପାଶ୍ଚାତ୍ୟ ଦେଶମାନଙ୍କୁ ମଧ୍ୟ ଚେତାବନୀ ଦେଇଛନ୍ତି।

ରୁଷିଆର ନ୍ୟୁଜ ଏଜେନ୍ସି ଆରଟି ପକ୍ଷରୁ ଏସମ୍ପର୍କିତ ସୂଚନା ପ୍ରଦାନ କରାଯାଇଛି। ଆରଟି ଅନୁଯାୟୀ ପୁଟିନ କହିଛନ୍ତି ଯେ ପାଶ୍ଚାତ୍ୟ ଦେଶ ରୁଷିକୁ ଭାଙ୍ଗିବାକୁ ଷଡ଼ଯନ୍ତ୍ର ରଚିଛନ୍ତି। କିନ୍ତୁ ତାଙ୍କ ଦେଶବାସୀଙ୍କ ଭବିଷ୍ୟତକୁ ସୁରକ୍ଷିତ ରଖିବା ପାଇଁ ସେ ଏହି ପଦକ୍ଷେପ ନେଉଛନ୍ତି। ୟୁକ୍ରେନ ଯୁଦ୍ଧର ସ୍ବତନ୍ତ୍ର ସାମରିକ ଅପରେଶନର ଲକ୍ଷ୍ୟ ଅପରିବର୍ତ୍ତିତ ରହିଛି। ପୁଟିନ କହିଛନ୍ତି ଯେ ୟୁକ୍ରେନର ଲୁହାନସ୍କ ପିପୁଲ୍ସ ରିପବ୍ଲିକ ମୁକ୍ତ ହୋଇଛି ଏବଂ ଡୋନେଟସ ପିପୁଲ୍ସ ରିପବ୍ଲିକକୁ ମଧ୍ୟ ଆଂଶିକ ମୁକ୍ତ କରାଯାଇଛି।

ଏଥି ସହିତ ପୁଟିନ ପାଶ୍ଚାତ୍ୟ ଦେଶମାନଙ୍କୁ ଚେତାବନୀ ଦେଇଛନ୍ତି ଯେ ଯଦି କ୍ଷେତ୍ରୀୟ ଅଖଣ୍ଡତା ପ୍ରତି ବିପଦ ଆସେ ତେବେ ରୁଷିଆ ଉପଲବ୍ଧ ସମସ୍ତ ଉପାୟ ବ୍ୟବହାର କରିବ। ଏହାକୁ ଏକ ବୃଥା ଧମକ ଭାବରେ ଗ୍ରହଣ କରାଯିବା ଉଚିତ ନୁହେଁ। ପୁଟିନ ତାଙ୍କ ଦେଶର ସାମରିକ ମୋର୍ଚ୍ଚା ପାଇଁ ଏହି ନିର୍ଦ୍ଦେଶରେ ଦସ୍ତଖତ କରିଛନ୍ତି ଏବଂ ଏହା ବୁଧବାରଠାରୁ କାର୍ଯ୍ୟକାରୀ ହେବ। ରୁଷର ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ ଦେଶରେ ୩ ଲକ୍ଷ ରିଜର୍ଭ ସୈନ୍ୟ ନିୟୋଜିତ ହେବେ।

Share