ବାନ୍ଧବୀଙ୍କୁ ବଳାତ୍କାର, ୧୧୧ ଥର ଛୁରି ଭୁସିଥିବା ଅପରାଧୀଙ୍କୁ ମୁକ୍ତକଲେ ପୁଟିନ୍‌

ମସ୍କୋ,୧୨।୧୧ : ପୂର୍ବତନ ବାନ୍ଧବୀ ଭେରା ପେଖ୍‌ଟେଲେଭାଙ୍କୁ ବଳାତ୍କାର କରିବା ପରେ ୧୧୧ ଥର ଛୁରିଭୁସି ଅତି ବୀଭତ୍ସ ଭାବେ ହତ୍ୟା କରିଥିବା ଭ୍ଲାଡିସ୍ଲାଭ୍‌ କନ୍ୟୁସ୍‌ଙ୍କୁ ୧୭ ବର୍ଷ ଜେଲଦଣ୍ଡ ହୋଇଥିଲା। ୟୁକ୍ରେନ୍‌ରେ ଯୁଦ୍ଧ କରିବା ଲାଗି ରୁଷିଆ ସେନାରେ ସାମିଲ ହେବା ପାଇଁ ତାଲିକାଭୁକ୍ତ ହେବାକୁ ସେ ନିଷ୍ପତ୍ତି ନେବା ପରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର୍‌ ପୁଟିନ୍‌ ତାଙ୍କୁ କ୍ଷମା କରିଦେଇଛନ୍ତି। ବ୍ରେକ୍‌ଅପ୍‌ ପରେ ବାନ୍ଧବୀଙ୍କୁ କନ୍ୟୁସ୍‌ ୩.୫ ବର୍ଷ ଧରି ବଳାତ୍କାର କରିବା ସହ ନିର୍ଯାତନା ଦେଇଥିଲେ। ପରେ ସେ ଏକ କେବୁଲରେ ବାନ୍ଧବୀଙ୍କ ତଣ୍ଟି ଚିପି ମାରିବା ସହ ୧୧୧ ଥର ଛୁରି ଭୁସିଥିଲେ। ଭେରାଙ୍କ ଚିତ୍କାର ଶୁଣି ପଡୋଶୀମାନେ ପୋଲିସ୍‌କୁ ୭ ଥର ଫୋନ୍‌ କରିଥିଲେ ମଧ୍ୟ କୌଣସି ଜବାବ ମିଳି ନ ଥିଲା। କନ୍ୟୁସ୍‌ ଏକ ଅସ୍ତ୍ର ଧରି ସାମରିକ ପୋଷାକରେ ଥିବାର ଫଟୋ ମିଳିବା ପରେ ସେ ଭେରାଙ୍କୁ ହତ୍ୟା କରିଥିବା ଜଣାପଡ଼ିଥିଲା।
କନ୍ୟୁସ୍‌ଙ୍କୁ ମୁକ୍ତ କରାଯିବା ପରେ ତାଙ୍କୁ ୟୁକ୍ରେନ୍‌ ସୀମା ରୋସ୍ତଭକୁ ପଠାଯାଇଛି। ଗତ ୩ ତାରିଖରେ ରାଷ୍ଟ୍ରପତି ପୁଟିନ୍‌ କନ୍ୟୁସ୍‌ଙ୍କୁ କ୍ଷମା କରିଥିବାର ଚିଠିକୁ ମହିଳା ଅଧିକାରୀ କର୍ମୀ ଆଲ୍ୟୋନା ପୋପୋଭା ଶେୟାର କରିଛନ୍ତି। ଜଣେ ବୀଭତ୍ସ ହତ୍ୟାକାରୀ ଯୁଦ୍ଧରେ ଯୋଗଦେବା ପାଇଁ ରାଜି ହେବାରୁ ତାଙ୍କୁ ମୁକ୍ତ କରିଦିଆଯିବା ଘଟଣାରେ ପୁଟିନ୍‌ଙ୍କୁ ଭେରାଙ୍କ ମାଆ ଓକ୍‌ସାନା ନିନ୍ଦା କରିଛନ୍ତି। ଜଣେ ନିଷ୍ଠୁର ହତ୍ୟାକାରୀଙ୍କୁ କିଭଳି ଅସ୍ତ୍ର ଧରାଇ ରୁଷିଆର ସୁରକ୍ଷା ପାଇଁ ପଠାଯାଉଛି ବୋଲି ସେ ପ୍ରଶ୍ନ କରିଛନ୍ତି।

Share