ଆଣବିକ ଯୁଦ୍ଧ ଭୟ ଦେଖାଇଲେ ପୁଟିନ୍‌

ମସ୍କୋ,୧।୩:ୟୁକ୍ରେନ୍‌ରେ ଯୁଦ୍ଧ ପାଇଁ ପାଶ୍ଚାତ୍ୟ ଦେଶଗୁଡ଼ିକ ଯଦି ସେମାନଙ୍କ ସୈନ୍ୟ ପଠାନ୍ତି, ତେବେ ଆଣବିକ ଯୁଦ୍ଧର ଭୟ ରହିଛି ବୋଲି ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ କହିଛନ୍ତି। ପାର୍ଲାମେଣ୍ଟରେ ଗୁରୁବାର ବାର୍ଷିକ ଅଭିଭାଷଣ ରଖିବା ଅବସରରେ ରୁଷିଆକୁ ଦୁର୍ବଳ କରିବା ପାଇଁ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ଲାଗିପଡ଼ିଥିବା କଥାକୁ ପୁଟିନ୍‌ ଦୋହାରାଇଥିଲେ। ରୁଷିଆର ନିଜସ୍ବ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାଇବା କେତେ ଭୟଙ୍କର ହେବ, ତାହା ସେମାନେ ବୁଝିପାରୁ ନାହାନ୍ତି ବୋଲି ୭୧ ବର୍ଷୀୟ ରାଷ୍ଟ୍ରପତି କହିଛନ୍ତି।
ୟୁକ୍ରେନ୍‌ ଉପରେ ରୁଷିଆ ୨ ବର୍ଷ ହେଲା ଆକ୍ରମଣ ଜାରି ରଖିଥିବାବେଳେ ଉଭୟ ପକ୍ଷର ହଜାର ହଜାର ଲୋକଙ୍କ ଜୀବନ ଗଲାଣି। ୟୁକ୍ରେନ୍‌କୁ ୟୁରୋପୀୟ ନାଟୋ ସଦସ୍ୟ ରାଷ୍ଟ୍ରଗୁଡ଼ିକ ସ୍ଥଳସେନା ପଠାଇବା ପାଇଁ ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ୍‌ ମାକଁର ଗତ ସୋମବାର ପ୍ରସ୍ତାବ ଦେଇଥିଲେ। ତେବେ ତାଙ୍କ ପ୍ରସ୍ତାବକୁ ଆମେରିକା, ଜର୍ମାନୀ, ବ୍ରିଟେନ୍‌ ଓ ଅନ୍ୟ ରାଷ୍ଟ୍ରଗୁଡ଼ିକ ଅଗ୍ରାହ୍ୟ କରିଦେଇଥିଲେ। ଫ୍ରାନ୍ସ ରାଷ୍ଟ୍ରପତିଙ୍କ ଚିନ୍ତାଧାରାକୁ ଆକ୍ଷେପ କରି ପୁଟିନ୍‌ ଆଣବିକ ଯୁଦ୍ଧ ଭୟ ଦେଖାଇଛନ୍ତି। ଆମ ପାଖରେ ଥିବା ଅସ୍ତ୍ର ସେମାନଙ୍କ ଭୂଖଣ୍ଡକୁ ଟାର୍ଗେଟ କରିପାରିବ ଏହା ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ଅନୁଭବ କରିବା ଆବଶ୍ୟକ। ସେମାନଙ୍କ ଚିନ୍ତାଧାରା ବାସ୍ତବରେ ଯୁଦ୍ଧରେ ଅଣୁଅସ୍ତ୍ର ବ୍ୟବହାର ଭୟ ସୃଷ୍ଟି କରିବ ଏବଂ ସଭ୍ୟତା ଧ୍ୱଂସ ହୋଇଯିବ ବୋଲି ପୁଟିନ୍‌ କହିଛନ୍ତି।

Share