ନାଟୋ ଦେଶରୁ ପ୍ରତିଶୋଧ ନେଲା ରୁଷିଆ: ଏହି ୨ଦେଶର ଗ୍ୟାସ୍‌ ଯୋଗାଣ ବନ୍ଦ କଲେ ପୁଟିନ୍‌

ମସ୍କୋ,୨୭।୪: ରୁଷିଆ ଓ ୟୁକ୍ରେନ ଯୁଦ୍ଧରେ କ୍ୱିଭ୍‌କୁ ଖୋଲାଖୋଲି ଭାବେ ୟୁକ୍ରେନକୁ ସାହାଯ୍ୟ କରିବା ଏବଂ ରୁଷର କଥାକୁ ଅବମାନନା କରିବା ଏବେ ୟୁରୋପ ଦେଶକୁ ମହଙ୍ଗା ପଡ଼ିଛି। ଅତ୍ୟଧିକ କଠୋର ପଦକ୍ଷେପ ଗ୍ରହଣ କରିବା ସହ ରୁଷିଆ ପୋଲାଣ୍ଡ ଓ ବୁଲଗେରିଆର ଗ୍ୟାସ-ତେଲ ଯୋଗାଣ ବନ୍ଦ କରିଦେଇଛି। ଗତ ମାସରେ ପୁଟିନ ରୁଷିଆରୁ ଗ୍ୟାସ-ତେଲ କିଣୁଥିବା ଦେଶମାନଙ୍କୁ ମସ୍କୋର ମୁଦ୍ରା ରୁବଲରେ ଦେୟ କରିବାକୁ କହିଥିଲେ। କିନ୍ତୁ ୟୁରୋପର ଦେଶ ପୁଟିନଙ୍କ ଅନୁରୋଧକୁ ଗ୍ରହଣ କରିବାକୁ ମନା କରିଦେଇଥିଲେ। ଏହାପରେ ବର୍ତ୍ତମାନ ପୁଟିନ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଯୋଗାଣ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ପୋଲାଣ୍ଡ ଏବଂ ବୁଲଗେରିଆ ଅନୁଯାୟୀ, ରୁଷିଆର ବିଶାଳ ଶକ୍ତି କମ୍ପାନୀ ଗଜପ୍ରୋମ ଗ୍ୟାସ ଯୋଗାଣ ବନ୍ଦ କରିଥିବା କହିଛି। ପୋଲାଣ୍ଡର ଗ୍ୟାସ କମ୍ପାନୀ ପିଜିଏନ୍‌ଆଇଜି ପକ୍ଷରୁ କୁହାଯାଇଛି ଯେ, ୟମାଲ-ୟୁରୋପ ପାଇପଲାଇନ ମାଧ୍ୟମରେ ହେଉଥିବା ଗ୍ୟାସ ବିତରଣ ବନ୍ଦ କରିବାକୁ ରୁଷିଆ ନିଷ୍ପତ୍ତି ନେଇଛି। ସେହିପରି ବୁଲଗେରିଆର ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ତୁର୍କଷ୍ଟ୍ରିମ ପାଇପ୍‌ଲାଇନ ମାଧ୍ୟମରେ ବୁଲଗେରିଆକୁ ଆସୁଥିବା ଗ୍ୟାସ ଯୋଗାଣକୁ ମଧ୍ୟ ରୁଷିଆ ବନ୍ଦ କରଛି। ସୂଚନାଯୋଗ୍ୟ, ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ କରିବା ପରେ ଆରମ୍ଭରୁ ପୋଲାଣ୍ଡ ଖୋଲାଖୋଲି ଭାବେ କ୍ୱିଭ୍‌କୁ ସମର୍ଥନ କରିଆସୁଛି। ଯୁଦ୍ଧ ପାଇଁ ପୋଲାଣ୍ଡ ମଧ୍ୟ ୟୁକ୍ରେନକୁ ଅନେକ ଅସ୍ତ୍ରଶସ୍ତ୍ର ଯୋଗାଇ ଦେଇଛି। ଚଳିତ ସପ୍ତାହରେ ପୋଲାଣ୍ଡ ସରକାର ୟୁକ୍ରେନକୁ ସେନା ଟ୍ୟାଙ୍କ ପଠାଉଥିବା ଜଣାପଡ଼ିଛି। ସୂଚନା ମୁତାବକ, ୟୁରୋପରେ ରୁଷିଆରୁ ଆସୁଥିବା ପ୍ରାକୃତିକ ଗ୍ୟାସ ବହୁ ପରିମାଣରେ ଘର ଗରମ କରିବା, ବିଦ୍ୟୁତ ଉତ୍ପାଦନ ଏବଂ ଇନ୍ଧନ ଭାବେ ବ୍ୟବହାର କରାଯାଇଥାଏ।

Share