ବିଜୟ ଶପଥ ନେଲେ ପୁଟିନ୍‌

ମସ୍କୋ, ୧୩ା୪: କିଛି ଦିନ ହେଲା ନୀରବ ରହିଥିବା ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ମଙ୍ଗଳବାର ୟୁକ୍ରେନ୍‌ ବିଜୟର ଶପଥ ନେଇଛନ୍ତି। ୟୁକ୍ରେନ୍‌ରେ ରୁଷିଆ ଯୁଦ୍ଧର ମହତ୍‌ ଉଦ୍ଦେଶ୍ୟ ହାସଲ କରିବ ବୋଲି ପୁଟିନ୍‌ କହିଛନ୍ତି। ବିଭିନ୍ନ କଟକଣା ଲଗାଇ ରୁଷିଆ ଅର୍ଥନୀତି ପ୍ରଭାବିତ କରିବାକୁ ପାଶ୍ଚାତ୍ୟ ଦେଶଗୁଡ଼ିକର ଉଦ୍ୟମ ବିଫଳ ହୋଇଥିବା ସେ ନିକଟରେ ଦୃଢ଼ୋକ୍ତି ବାଢ଼ିଥିଲେ।
ପ୍ରତିପକ୍ଷ ଆଲେକଜାଣ୍ଡର ଲୁକାସେଙ୍କୋଙ୍କ ସହ ଆଲୋଚନାବେଳେ ପୁଟିନ୍‌ କହିଛନ୍ତି, ୟୁକ୍ରେନ୍‌ ସହ ଲଢ଼ିବା ଅପରିହାର୍ଯ୍ୟ ଥିଲା। ରୁଷିଆ ଭାଷାଭାଷୀ ଲୋକ ରହୁଥିବା ଡୋନବାସ ଅଞ୍ଚଳର ସୁରକ୍ଷା ପାଇଁ ତାଙ୍କ ନିକଟରେ କୌଣସି ବିକଳ୍ପ ନ ଥିଲା। ଏଥିସହ ମସ୍କୋର ଶତ୍ରୁମାନଙ୍କ ସହ ପୂର୍ବ ସୋଭିଏଟ ସଂଘର ଏହି ଦେଶକୁ ରୁଷିଆ ବିରୋଧୀ ହେବାକୁ ରୋକିବାକୁ ଆବଶ୍ୟକ ଥିଲା। ୟୁରି ଗାଗାରିନ୍‌ ପ୍ରଥମ ମାନବ ଭାବେ ମହାକାଶରେ ପାଦ ଥାପିବାର ୬୧ତମ ବର୍ଷପୂର୍ତ୍ତି ଅବସରରେ ପୁଟିନଙ୍କୁ ସରକାରୀ ଚ୍ୟାନେଲରେ ଦେଖିବାକୁ ମିଳିଥିଲା। ୟୁକ୍ରେନ୍‌ରେ ରୁଷିଆ ଏହାର ଲକ୍ଷ୍ୟ ହାସଲ କରିପାରିବ କି ବୋଲି ପ୍ରଶ୍ନରେ ପୁଟିନ୍‌ କହିଥିଲେ ଯେ, ରୁଷିଆର ଉଦ୍ଦେଶ୍ୟ ସ୍ପଷ୍ଟ। ବିଜୟ ସୁନିଶ୍ଚିତ, ଏଥିରେ କୌଣସି ସନ୍ଦେହ ନାହିଁ।

Share