ୟୁକ୍ରେନ ସହ ଉତ୍ତେଜନା ମଧ୍ୟରେ ମିସାଇଲ୍‌ ଡ୍ରିଲ କରିବ ରୁଷିଆ

ମସ୍କୋ, ୧୮।୨: ଗତ କିଛି ଦିନରୁ ୟୁକ୍ରେନ ଓ ରୁଷ ମଧ୍ୟରେ ଉତ୍ତେଜନା ଲାଗିରହିଛି। ୟୁକ୍ରେନ ଉପରେ ରୁଷ ଆକ୍ରମଣ କରିପାରେ ବୋଲି ପ୍ରାୟ ସମୟରେ ଆମେରିକା ଦାବି କରିଆସୁଛି। କିନ୍ତୁ ରୁଷ ଏହାକୁ ଖଣ୍ଡନ କରିଆସୁଛି। ତେବେ ଏହି ଯୁଦ୍ଧ ଆଶଙ୍କା ମଧ୍ୟରେ ମିସାଇଲ ସାମରିକ ଅଭ୍ୟାସ କରିବାକୁ ଯାଉଛି ରୁଷ। କେବଳ ସେତିକି ନୁହେଁ, ଏହି ସାମରିକ ଅଭ୍ୟାସ ଦେଖିବାକୁ ନିଜେ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ମଧ୍ୟ ପହଞ୍ଚିବେ। ଏହି ସମୟରେ ପୁଟିନ ରୁଷ ସାମରିକ ଶକ୍ତିର ସମୀକ୍ଷା କରିବେ ବୋଲି ଶୁକ୍ରବାର ରୁଷ ପ୍ରତିରକ୍ଷା ମନ୍ତ୍ରଣାଳୟ ସୂଚନା ଦେଇଛି। ଫେବୃଆରୀ ୧୯ରେ ହେବାକୁ ଥିବା ଏହି ସାମରାଭ୍ୟାସରେ ବାଲିଷ୍ଟିକ ଏବଂ କ୍ରୁଜ ମିସାଇଲ ଲଞ୍ଚ ମଧ୍ୟ ସାମିଲ ରହିବ। ଏଥିସହ ରୁଷର ଏରୋସ୍ପେସ୍‌ ଫୋର୍ସ ଏବଂ ଷ୍ଟ୍ରାଟେଜିକ ରକେଟ ଫୋର୍ସ ଏହି ସାମରିକ ଅଭ୍ୟାସରେ ଯୋଗଦେବେ। ରୁଷର ସ୍ଥଳ ସେନାର ସାଉଦର୍ଣ୍ଣ ଡିଷ୍ଟ୍ରିକ୍ଟ ମିସାଇଲ ପ୍ରକ୍ଷେପଣରେ ନୌସେନାର ଏକ ୟୁନିଟ ମଧ୍ୟ ଏହି ସମରାଭ୍ୟାସରେ ସାମିଲ ହେବ। ଏହି ଯୁଦ୍ଧାଭ୍ୟାସ ପୂର୍ବରୁ ନିର୍ଦ୍ଧାରିତ ଥିଲା ବୋଲି ରୁଷ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

Share