୫ମ ଥର ରାଷ୍ଟ୍ରପତି ଭାବେ ଶପଥ ନେଲେ ପୁଟିନ୍‌

ମସ୍କୋ,୮ା୫:ଭ୍ଲାଡିମିର୍‌ ପୁଟିନ୍‌ ରେକର୍ଡ ୫ମ ଥର ପାଇଁ ରୁଷିଆ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଛନ୍ତି। ୟୁକ୍ରେନ୍‌ ବିରୋଧରେ ଯୁଦ୍ଧ ଚଳାଇବା ସହ ନିଜର ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀମାନଙ୍କୁ ସଫା କରି ପୁଟିନ୍‌ ସବୁ  କ୍ଷମତା ନିଜ ହାତମୁଠାରେ ରଖିଛନ୍ତି। କ୍ରେମ୍‌ଲିନ୍‌ରେ ଶପଥ ଗ୍ରହଣ ଉତ୍ସବ ସହ ତାଙ୍କର ପଞ୍ଚମ ପାଳି ଶାସନ ଆରମ୍ଭ ହୋଇଛି। ତେବେ ୟୁକ୍ରେନ୍‌ ଉପରେ ଯୁଦ୍ଧକୁ ବିରୋଧକରି ଆମେରିକା ସମେତ ଅନେକ ପାଶ୍ଚାତ୍ୟ ରାଷ୍ଟ୍ର ଉକ୍ତ ଶପଥ ଗ୍ରହଣ ଉତ୍ସବକୁ ବର୍ଜନ କରିଛନ୍ତି। ୧୯୯୯ରୁ ପୁଟିନ୍‌ କ୍ରମାଗତ ୨୫ ବର୍ଷ ହେଲା କ୍ଷମତାରେ ରହିଛନ୍ତି। ଜୋଶେଫ ଷ୍ଟାଲିନ୍‌ଙ୍କ ପରେ ପୁଟିନ୍‌ ଦୀର୍ଘଦିନ ଶାସନରେ ରହିଥିବା କ୍ରେମଲିନ୍‌ ନେତା। ଗତ ମାର୍ଚ୍ଚରେ ହୋଇଥିବା ରାଷ୍ଟ୍ରପତି ନିର୍ବାଚନରେ ସେ ନିରଙ୍କୁଶ ସଂଖ୍ୟାଗରିଷ୍ଠତା ହାସଲ କରିଥିଲେ। ରୁଷିଆର ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ସେ ପୁଣି ୬ ବର୍ଷ କ୍ଷମତାରେ ରହିବେ।

Share