ପୁଟିନ୍‌ଙ୍କ ଚେତାବନୀ, ବଢ଼ିବ ତୈଳ ଦାମ୍‌…

ମସ୍କୋ, ୯।୭ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ପାଶ୍ଚାତ୍ୟ ଦେଶଗୁଡ଼ିକ ୟୁକ୍ରେନକୁ ସମର୍ଥନ କରୁଛନ୍ତି ଏବଂ ରୁଷିଆ ବିରୋଧରେ ବିଭିନ୍ନ କଟକଣା ଲାଗୁ କରାଯାଇଛି। ଡୋନାବସ ଅଞ୍ଚଳରେ ରୁଷିଆର ଆକ୍ରମଣକୁ ରୋକିବା ପାଇଁ ୟୁକ୍ରେନ ସହଯୋଗୀମାନଙ୍କୁ ଅଧିକ ଅସ୍ତ୍ରଶସ୍ତ୍ର ଯୋଗାଇବାକୁ ଅନୁରୋଧ କରିଛି। ଅପରପକ୍ଷରେ, ରୁଷିଆ କୌଣସି ସମାଧାନ ଅବା ଚୁକ୍ତି ଆଭିମୁଖ୍ୟ ରଖିନଥିବା ମନେହେଉଛି। ଅନ୍ତର୍ଜାତୀୟ ବଜାରରେ ଇନ୍ଧନ ମୂଲ୍ୟ ଅଧିକ ବୃଦ୍ଧି ପାଇବ ବୋଲି ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିନ୍‌ ଚେତାବନୀ ଦେଇଛନ୍ତି।

ପୁଟିନ୍‌ କହିଛନ୍ତି ଯେ ପଶ୍ଚିମ ଦେଶମାନଙ୍କ ପକ୍ଷରୁ ଜାରି ହୋଇଥିବା କଡ଼ା କଟକଣା ଯୋଗୁ ତେଲ ମୂଲ୍ୟରେ ଏକ ଭୟଙ୍କର ବୃଦ୍ଧି ଘଟାଇବ। ରୁଷିଆର ତୈଳ ଓ ଗ୍ୟାସ ଶିଳ୍ପର ନେତାମାନଙ୍କୁ ସମ୍ବୋଧିତ କରି ପୁଟିନ ପାଶ୍ଚାତ୍ୟ ପ୍ରତିବନ୍ଧକକୁ ଅର୍ଥନୈତିକ ଯୁଦ୍ଧର ଘୋଷଣା ବୋଲି କହିଛନ୍ତି। ସେ କହିଛନ୍ତି ଯେ ପାଶ୍ଚାତ୍ୟ ଦେଶମାନେ ରୁଷିଆଠାରୁ କେହି ତୈଳ କ୍ରୟ ନକରିବାକୁ ଚାପ ପ୍ରୟୋଗ କରିଛନ୍ତି। ଏହା ଯୋଗୁ ତୈଳ ଦାମ ସାରା ବିଶ୍ୱରେ ବୃଦ୍ଧି ପାଇଛି।

 

ୟୁରୋପୀୟ ୟୁନିଅନର ଦେଶମାନେ ରୁଷିଆଠାରୁ ତେଲ ନ କିଣିବା ବିଷୟରେ କହି ସାରିଛନ୍ତି। ପୁଟିନ କହିଛନ୍ତି, ’ଯେଉଁ ଦେଶ ରୁଷିଆ ଉପରେ ଲାଗିଥିବା କଟକଣାକୁ ସମର୍ଥନ କରିବେ ସେମାନେ ଅଧିକ କ୍ଷତି ସହିବେ। ପ୍ରତିବନ୍ଧକ ଜାରି ରହିଲେ ପରିସ୍ଥିତି ଆହୁରି ଖରାପ ହେବ, ଯାହାଦ୍ୱାରା ସମଗ୍ର ବିଶ୍ୱରେ ତୈଳ ଦର ବୃଦ୍ଧି ପାଇବ। ୟୁରୋପ ରୁଷିଆରୁ ଅଧିକାଂଶ ତେଲ ପାଇଥାଏ। ଜର୍ମାନୀ ସମେତ ଅନେକ ୟୁରୋପୀୟ ଦେଶ ଶକ୍ତି ଭୟ କରୁଛନ୍ତି ଯେ ରୁଷିଆ ସେମାନଙ୍କ ବିଦ୍ୟୁତ୍‌ ଯୋଗାଣକୁ ବନ୍ଦ କରିଦେବ।

ସାଉଦି ଆରବ ପରେ ରୁଷିଆ ବିଶ୍ୱର ଦ୍ୱିତୀୟ ବୃହତ୍ତମ ତୈଳ ରପ୍ତାନିକାରୀ। ଏହା ବ୍ୟତୀତ ଏହା ପ୍ରାକୃତିକ ଗ୍ୟାସ ଏବଂ ଗହମର ବୃହତ୍ତମ ରପ୍ତାନିକାରୀ ଭାବେ ଜଣାଶୁଣା। କେବଳ ୟୁରୋପକୁ ୪୦ ପ୍ରତିଶତ ଗ୍ୟାସ ଏବଂ ୩୦ ପ୍ରତିଶତ ତେଲ ରପ୍ତାନି ରୁଷଆ କରିଥାଏ। ରୁଷିଆ ଏବଂ ଜର୍ମାନୀ ମଧ୍ୟରେ ବାଲଟିକ ସାଗରରେ ଥିବା ନର୍ଡ ଷ୍ଟ୍ରିମ-୧ ପାଇପଲାଇନର ମରାମତି ଯୋଗୁ ଜୁଲାଇ ୧୧ ରୁ ଜୁଲାଇ ୨୧ ପର୍ଯ୍ୟନ୍ତ ଏହା ବନ୍ଦ ରହିବ। ଫଳରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ଘଟିବାର ଆଶଙ୍କା ରହିଛି।

Share