ବିଜୟ ଦିବସରେ ପୁଟିନ୍‌ଙ୍କ ଘୋଷଣା, ହିଟଲରଙ୍କ ପରି ପରାଜିତ ହେବ ୟୁକ୍ରେନ୍‌…

ମସ୍କୋ, ୯।୫ : ବିଜୟ ଦିବସ ପାଳନ ପୂର୍ବରୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପ୍ରତିଶ୍ରୁତି ଦେଇଛନ୍ତି ଯେ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ହିଟଲରଙ୍କ ନାଜି ସୈନ୍ୟବାହିନୀ ଭଳି ୟୁକ୍ରେନକୁ ମଧ୍ୟ ଆମେ ପରାଜିତ କରିବୁ ଯୁଦ୍ଧରେ ଆମେ ଜିତିବୁ। ୟୁକ୍ରେନ ଯୁଦ୍ଧରେ ରୁଷିଆ ବହୁ କ୍ଷତି ସହିବା ପରେ ବିଜୟ ଦିବସ ପରେଡ ପୂର୍ବରୁ ପୁଟିନ ତାଙ୍କ ଅଭିଭାଷଣରେ ଏହା କହିଛନ୍ତି।

ସୋମବାର ୧୧ ହଜାର ରୁଷିଆ ସୈନିକ ବିଜୟ ଦିବସରେ ପରେଡ କରିବେ। ଏହା ବ୍ୟତୀତ ପୁଟିନ ଅନେକ ଧ୍ୱଂସକାରୀ ଅସ୍ତ୍ର ପ୍ରଦର୍ଶନ କରି ନିଜର ଶକ୍ତି ପ୍ରଦର୍ଶନ ମଧ୍ୟ କରିବେ।

ପୁଟିନ କହିଛନ୍ତି ଯେ ଆଜି ଆମର ସୈନିକମାନେ, ସେମାନଙ୍କ ପୂର୍ବପୁରୁଷମାନଙ୍କ ଭଳି ସମାନ ଆତ୍ମବିଶ୍ୱାସର ସହ ସଂଗ୍ରାମ କରୁଛନ୍ତି। ୧୯୪୫ରେ ରୁଷିଆ ସୈନ୍ୟ ଆତ୍ମବିଶ୍ୱାସ ନାଜି ବାହିନୀ ବିରୋଧରେ ଲଢ଼େଇ କରିଥିଲେ। ବିଜୟ ଆମର ହେବ।

ୟୁକ୍ରେନକୁ ନାଜି ତତ୍ତ୍ୱଗୁଡ଼ିକରୁ ମୁକ୍ତ କରିବା ପାଇଁ ଏହା ରୁଷିଆ ଏକ ସ୍ବତନ୍ତ୍ର ସାମରିକ ଅପରେଶନ କରୁଥିବା ସେ କହିଛନ୍ତି। ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ସୋଭିଏତ୍‌ ୟୁନିଅନର ୨ କୋଟି ୭୦ ଲକ୍ଷ ଲୋକ ନିହତ ହୋଇଥିଲେ, ଯାହାକି ଅନ୍ୟ ଦେଶ ତୁଳନାରେ ଅଧିକ ଥିଲା ବୋଲି ସେ କହିଛନ୍ତି।

ପୁଟିନ କହିଛନ୍ତି, ନାଜିବାଦର ପୁନର୍ଜନ୍ମକୁ ରୋକିବା ଆମର କର୍ତ୍ତବ୍ୟ, ଯେଉଁଥିପାଇଁ ବିଭିନ୍ନ ଦେଶରେ ଅନେକ ଲୋକ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ସେ କହିଛନ୍ତି, ଦୁଃଖର ବିଷୟ ହେଉଛି ନାଜିବାଦ ପୁଣି ଥରେ ମୁଣ୍ଡ ଟେକିଛି।

ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଯେଉଁମାନଙ୍କୁ ଆମେ ପରାସ୍ତ କରିଥିଲୁ ସେମାନଙ୍କ ଉତ୍ତରାଧିକାରୀଙ୍କୁ ପରାସ୍ତ କରିବା ଆମର ଦାୟିତ୍ୱ ବୋଲି ପୁଟିନ୍‌ କହିଛନ୍ତି। ପୁଟିନ ବିଜୟ ଦିବସ ଅବସରେ ମସ୍କୋର ରେଡ ସ୍କୋୟାରରୁ ଏକ ଅଭିଭାଷଣ ପ୍ରଦାନ କରିବେ ଯେଉଁଥିରେ ସେ ଏକ ବଡ ଘୋଷଣା କରିବେ ବୋଲି ଚର୍ଚ୍ଚା ହେଉଛି।

Share