Advertisement

ରୁଷିଆ ରାଷ୍ଟ୍ରପତିଙ୍କ ଝିଅଙ୍କୁ ଦିଆଗଲା ପ୍ରଥମ କରୋନା ଟିକା

ମସ୍କୋ,୧୧।୮: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ମଙ୍ଗଳବାର କହିଛନ୍ତି ଦେଶରେ ପ୍ରସ୍ତୁତ କରାଯାଇଥିବା କରୋନା ଭାଇରସର ପ୍ରଥମ ଭ୍ୟାକ୍ସିନକୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ମଞ୍ଜୁରୀ ପ୍ରଦାନ କରିଛି। ତେବେ ଏହାର ପ୍ରଥମ ଟିକା ତାଙ୍କ ଝିଅଙ୍କୁ ଦିଆଯାଇ ସାରିଛି ବୋଲି ସେ କହିଛନ୍ତି। କିନ୍ତୁ ସେ ନିଜେ ଏହାକୁ ନେଇଛନ୍ତି କି ନା ତାହା ସେ ସ୍ପଷ୍ଟ କରି ନାହାନ୍ତି। ଟିକା ନେବା ପରେ ତାଙ୍କ ଝିଅଙ୍କୁ ସାମନ୍ୟ ଜ୍ୱର ଆସିଥିବା ବେଳେ ଏବେ ସେ ସୁସ୍ଥଥିବା ପୁଟିନ କହିଛନ୍ତି। ଏହି କ୍ରମରେ କରୋନା ଭ୍ୟାକ୍ସିନ ତିଆରି ଓ ପରୀକ୍ଷଣରେ ରୁଷିଆ ପ୍ରଥମ ଦେଶ ପାଲଟି ଯାଇଥିବା କୁହାଯାଉଛି। ରୁଷିଆର ଯୋଜନା ଅନୁଯାୟୀ, ଏହି ଭ୍ୟାକ୍ସିନ ପ୍ରଥମେ ସ୍ବାାସ୍ଥ୍ୟକର୍ମୀ ଓ ପରେ ବରିଷ୍ଠ ନାଗରିକଙ୍କୁ ଦିଆଯିବ। ସେପ୍ଟେମ୍ବର ମାସରୁ ଏହାର ଉତ୍ପାଦନ ବଢାଇବା ପରେ ଏହା ବିଭିନ୍ନ ଦେଶକୁ ଯୋଗାଇ ଦିଆଯିବ ବୋଲି ମସ୍କୋ ପକ୍ଷରୁ ପ୍ରକାଶ କରାଯାଇଛି। ମସ୍କୋର ଗାମଲେୟା ଇନଷ୍ଟିଚ୍ୟୁଟ ଏହି ଭ୍ୟାକ୍ସିନକୁ ପ୍ରସ୍ତୁତ କରିଛି। ତେବେ ଏତେଶୀଘ୍ର ଭ୍ୟାକ୍ସିନଟି ତିଆରି ହୋଇଥିବାରୁ ଏହାକୁ ନେଇ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚଓ) ଚିନ୍ତା ପ୍ରକଟ କରିଛି। ରୁଷିଆ ଯୋଜନା କରିଛି କି ଅକ୍ଟୋବର ସୁଦ୍ଧା ସମୁହ ଭ୍ୟାକ୍ସିନେଶନ ଆରମ୍ଭ କରାଯିବ। ଖୁବ୍‌ଶୀଘ୍ର ଏହା ବଜାରରେ ଉପଲବ୍ଧ ହେବ ବୋଲି କୁହାଯାଇଛି। ସୂଚନାଯୋଗ୍ୟ, ଏପର୍ଯ୍ୟନ୍ତ କୌଣସି ଦେଶକୁ କରୋନା ଭ୍ୟାକ୍ସିନ ପ୍ରସ୍ତୁତ କରିବାର ସଫଳତା ମିଳିନାହିଁ। ସୂଚନାଯୋଗ୍ୟ, ଏପର୍ଯ୍ୟନ୍ତ କୌଣସି ଦେଶକୁ କରୋନା ଭ୍ୟାକ୍ସିନ ପ୍ରସ୍ତୁତ କରିବାର ସଫଳତା ମିଳିନାହିଁ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share