ପୁଟିନ୍‌ଙ୍କ ଘାତକ ଘୋଷଣା ଆଜି

ମସ୍କୋ/କିଭ୍‌,୩୦ା୯:ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଶୁକ୍ରବାର ରେଡ୍‌ ସ୍କୋୟାର ଭିକ୍ଟ୍ରି କନ୍‌ସର୍ଟରେ ଯୋଗଦେଇ ୟୁକ୍ରେନ୍‌ର ୪ ଅଞ୍ଚଳକୁ ନିଜ ଦେଶରେ ମିଶ୍ରଣ ଘୋଷଣା କରିବେ। ରୁଷିଆ ଦଖଲରେ ଥିବା ଡୋନେସ୍କ, ଲୁହାନ୍‌ସ୍କ, ଖେରସୋନ ଓ ଜାପୋରିଝିଆରେ ୫ ଦିନ ଧରି ଚାଲିଥିବା ଗଣଭୋଟ ମଙ୍ଗଳବାର ଶେଷ ହେବା ପରେ ୟୁକ୍ରେନ୍‌ର ଏହି ୧୫% ଅଞ୍ଚଳଗୁଡ଼ିକ ଉପରେ ମସ୍କୋର ଆଧିପତ୍ୟ ଦସ୍ତାବିଜ ଉପରେ ସ୍ବାକ୍ଷର କରିବେ। ୟୁକ୍ରେନ୍‌ ଓ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ବନ୍ଧୁକ ମୁନରେ କରାଯାଇଥିବା ଏହି ଗଣଭୋଟକୁ ବେଆଇନ ଦର୍ଶାଇ ପ୍ରତ୍ୟାଖ୍ୟାନ କରିଥିବାବେେଳେ ଓ୍ବାଶିଂଟନ ସହ ୟୁରୋପୀୟ ସଂଘ(ଇୟୁ) ରୁଷିଆ ଉପରେ ଆହୁରି କଠୋର କଟକଣା ଜାରି କରିବାକୁ ଚେତାବନୀ ଦେଇଛନ୍ତି। ଏପରି କି ସର୍ବିଆ ଓ କାଜାଖସ୍ତାନ ଭଳି ରୁଷିଆର ସହଯୋଗୀ ରାଷ୍ଟ୍ରଗୁଡ଼ିକ ମଧ୍ୟ ଏହି ଆନେକ୍ସେଶନକୁ ସ୍ବୀକୃତି ଦେଇନାହାନ୍ତି। କ୍ରେମ୍‌ଲିନ୍‌ର ସେଣ୍ଟ ଜର୍ଜ ହଲ୍‌ରେ ହେବାକୁ ଥିବା ପୁଟିନ୍‌ଙ୍କ ଆନେକ୍ସେଶନ ସେରେମନିରେ ରୁଷିଆ ସମର୍ଥତ୍ତ ଚେହେରାଙ୍କୁ ଉକ୍ତ ୪ ଅଞ୍ଚଳର ନେତା ଘୋଷଣା କରାଯିବ। ନିକଟରେ ୟୁକ୍ରେନୀୟ ସୈନ୍ୟ ଦେଶର ଉତ୍ତର-ପୂର୍ବାଞ୍ଚଳ ଯୁଦ୍ଧଭୂମିରୁ ରୁଷୀୟ ସଶସ୍ତ୍ର ବଳକୁ ଘଉଡ଼ି ସମ୍ପୃକ୍ତ ଅଞ୍ଚଳକୁ ପୁନଃ ଦଖଲ କରିଥିଲେ। ଏହାକୁ ନେଇ କ୍ଷୁବ୍ଧ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ମସ୍କୋରେ ଗତ ୨୧ରେ ଦେଶବାସୀଙ୍କୁ ସମ୍ବୋଧିତ କରିବା ସହ ପାଶ୍ଚାତ୍ୟକୁ ଆଣିବିକ ଅସ୍ତ୍ର ଭୟ ଦେଖାଇଥିଲେ। ପ୍ରକାଶ ଯେ, ୨୦୧୪ରେ ୟୁକ୍ରେନ୍‌ର କ୍ରିମିଆ ରିଜିୟନ୍‌କୁ ମସ୍କୋ ଦଖଲ କରିବା ପରେ ସେଠାରେ ଗଣଭୋଟ କରାଇଥିଲା। ଏହା ପରେ ଉକ୍ତ ଅଞ୍ଚଳକୁ ରୁଷିଆର ବୋଲି ଦାବି କରିଥିଲା।
ସେପଟେ ୩ ଲକ୍ଷ ରିଜର୍ଭ ସୈନ୍ୟଙ୍କୁ ୟୁକ୍ରେନ୍‌ ବିରୋଧରେ ଯୁଦ୍ଧ ପାଇଁ ପଠାଇବାକୁ ପୁଟିନ୍‌ଙ୍କ ଘୋଷଣା ପରଠୁ ରୁଷୀୟମାନେ ଦେଶଛାଡ଼ି ପଳାୟନ କରିବାରେ ଲାଗିଛନ୍ତି। ଏହି ପରିପ୍ରେକ୍ଷୀରେ ଫିନ୍‌ଲାଣ୍ଡ ୟୁରୋପକୁ ଯିବା ପାଇଁ ଥିବା ଏକାଧିକ ପ୍ରବେଶପଥକୁ ବନ୍ଦ କରିଦେଇଛି। ଇୟୁ ଟୁରିଷ୍ଟ ଭିଜାଧାରୀ ରୁଷୀୟମାନଙ୍କୁ ଏହି ପଥ ଦେଇ ପ୍ରବେଶ କରାଇ ଦିଆଯିବ ନାହିଁ ବୋଲି ଫିନ୍‌ଲାଣ୍ଡ କହିଛି।

Share