ପୁଟିନ୍‌ଙ୍କ ଯୋଜନା, ରୁଷିଆ-ବେଲାରୁଷ୍‌-ୟୁକ୍ରେନ୍‌ ମିଶି ହେବ ‘ୟୁନିଅନ୍‌ ଷ୍ଟେଟ୍‌’ ଗଠନ…

ମସ୍କୋ, ୬।୨ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧର ଆଶଙ୍କା ଦିନକୁ ଦିନ ବଢ଼ିବାରେ ଲାଗିଛି। ଗୋଟିଏ ପଟେ ଆମେରିକା ଏବଂ ବ୍ରିଟେନ ପୂର୍ବ ୟୁରୋପରେ ନାଟୋର ହାତକୁ ମଜବୁତ କରୁଥିବାବେଳେ ଅନ୍ୟ ପଟେ ରୁଷିଆ ଏହାର ବିନାଶକାରୀ ଅସ୍ତ୍ର ପ୍ରସ୍ତୁତ କରି ରଖିଛି। ଇତିମଧ୍ୟରେ ରୁଷିଆ ଶନିବାର ନିଜର ଆଣବିକ ବୋମାବର୍ଷୀ ଯୁଦ୍ଧ ବିମାନକୁ ପାଟ୍ରୋଲିଂରେ ପଠାଇଛି।

ପ୍ରତିରକ୍ଷା ମନ୍ତ୍ରଣାଳୟ ରିପୋର୍ଟ କରିଛି ଯେ ଦୁଇଟି ଟିୟୁ-୨୨ଏମ୍‌୩ ଯୁଦ୍ଧ ବିମାନ ଚାରି ଘଣ୍ଟା ବେଲାରୁଷର ବାୟୁସେନା ସହିତ ମିଶି ଅଭ୍ୟାସ କରିଥିଲେ। ଜର୍ମାନ ଗଣମାଧ୍ୟମରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ରୁଷିଆ ରାଷ୍ଟ୍ରପତି ବ୍ଲାଡିମୀର ପୁଟିନ ଏକ ବଡ଼ ଧରଣର ଆକ୍ରମଣ ପରେ ୟୁକ୍ରେନ ସରକାରଙ୍କର ପତନ କରିବା ଲାଗି ଯୋଜନା କରିଛନ୍ତିି।

ଡେଲିମେଲ ଅନୁଯାୟୀ, ଏକ ବିଦେଶୀ ସିକ୍ରେଟ ସର୍ଭିସ ମାଧ୍ୟମରେ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି। ରିପୋର୍ଟରେ କୁହାଯାଇଛି ଯେ ରୁଷ ଏବଂ ବେଲାରୁଷ ସମେତ ୟୁକ୍ରେନକୁ ମସ୍କୋର ନିୟନ୍ତ୍ରଣ କେନ୍ଦ୍ରକୁ ଆଣିବା ପାଇଁ ପୁଟିନ ଏକ ତିନି ପର୍ଯ୍ୟାୟ ଯୋଜନା କରୁଛନ୍ତି।

ପୁଟିନଙ୍କ ଯୋଜନାର ତୃତୀୟ ପର୍ଯ୍ୟାୟ ସବୁଠାରୁ ବିପଜ୍ଜନକ। ରିପୋର୍ଟ ଅନୁଯାୟୀ, ୟୁକ୍ରେନରେ ରୁଷିଆ ସମର୍ଥକ ସରକାର ଗଠନ ପରେ ତୃତୀୟ ପର୍ଯ୍ୟାୟରେ ୟୁକ୍ରେନ କାର୍ଯ୍ୟକର୍ତ୍ତାଙ୍କୁ ଗିରଫ କରାଯାଇ ଜେଲରେ ରଖାଯିବ।

ମସ୍କୋ ନେତୃତ୍ୱରେ ଏକ ନୂତନ ସଂସଦ ଗଠନ ହେବା ପରେ ଯୋଜନାର ପ୍ରଥମ ଭାଗରେ ଏକ ବଡ଼ ଧରଣର ଆକ୍ରମଣ ଏବଂ ଦ୍ୱିତୀୟ ଭାଗରେ ଯେକୌଣସି ପ୍ରତିରୋଧକୁ ଦମନ କରିବା ଲଗି ଯୋଜନା କରାଯାଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି।

Share