ପୁଟିନ୍‌ଙ୍କ ରୁବଲ ରଣନୀତି

ମସ୍କୋ/କିଭ୍‌, ୨୮ା୪: ଆମେରିକା ଓ ପାଶ୍ଚାତ୍ୟର କଟକଣାରେ ପ୍ରଭାବିତ ରୁଷିଆର ଅର୍ଥନୀତିକୁ ସଜାଡ଼ିବା ପାଇଁ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ମସ୍କୋର ମୁଦ୍ରା ରୁବଲ ମୂଲ୍ୟ ବୃଦ୍ଧିକୁ ଗୁରୁତ୍ୱ ଦେଉଛନ୍ତି। ରୁଷିଆରୁ ତୈଳ ଓ ଗ୍ୟାସ୍‌ ନେଉଥିବା ୟୁରୋପୀୟ ଦେଶଗୁଡ଼ିକ ରୁବଲରେ ପେମେଣ୍ଟ କରିବାକୁ ପୁଟିନ୍‌ ଦାବି କରିଥିବାବେଳେ ଏଥିରେ ନାଟୋ ଦେଶ ପୋଲାଣ୍ଡ ଓ ବୁଲ୍‌ଗେରିଆ ରାଜି ହୋଇନାହାନ୍ତି। ଫଳରେ ପୁଟିନ୍‌ ବୁଧବାର ଏହି ଦୁଇ ଦେଶକୁ ତେଲ ଯୋଗାଣ ବନ୍ଦ କରିଛନ୍ତି। ୟୁକ୍ରେନ୍‌ ଉପରେ ଆକ୍ରମଣ ପାଇଁ ରୁଷିଆ ଉପରେ ଅନ୍ତର୍ଜାତୀୟ କଟକଣା ଲାଗିଥିବାବେଳେ ପୁଟିନ୍‌ ତୈଳ ଓ ଗ୍ୟାସ୍‌ ରପ୍ତାନି ବନ୍ଦ କରି ୟୁରୋପୀୟ ଦେଶଗୁଡ଼ିକୁ ବ୍ଲାକ୍‌ମେଲିଂ କରୁଥିବା ପୋଲାଣ୍ଡ ଓ ବୁଲଗେରିଆ ଅଭିଯୋଗ ଆଣିଛନ୍ତି। ଦୀର୍ଘ ସମୟ ପର୍ଯ୍ୟନ୍ତ ଏହି ଦେଶଗୁଡ଼ିକୁ ଗ୍ୟାସ୍‌ ଯୋଗାଣ ବନ୍ଦ ରହିଲେ କିମ୍ବା ଅନ୍ୟ ୟୁରୋପୀୟ ଦେଶ ପୋଲାଣ୍ଡ ଓ ବୁଲଗେରିଆ ଭଳି ସ୍ଥିତିର ସମ୍ମୁଖୀନ ହେଲେ ୟୁରୋପରେ ଶକ୍ତି ସଙ୍କଟ ଉପୁଜିପାରେ। ଅନ୍ୟପକ୍ଷରେ ୟୁରୋପୀୟ ଦେଶ ଅଷ୍ଟ୍ରିଆ ପୁଟିନ୍‌ଙ୍କ ଦାବି ଅନୁସାରେ ଗ୍ୟାସ୍‌ ପାଇଁ ରୁବଲରେ ପେମେଣ୍ଟ କରିବାକୁ ରାଜି ହୋଇଛି। ଏ ନେଇ ଚାନ୍‌ସେଲର କାର୍ଲ ନେହାମ୍ମର ବୁଧବାର ଘୋଷଣା କରିଛନ୍ତି। ତେବେ ୟୁକ୍ରେନ୍‌ ଉପରେ ଆକ୍ରମଣ ପାଇଁ ଅଷ୍ଟ୍ରିଆ ରୁଷିଆକୁ ବିରୋଧ କରିବା ଜାରି ରଖିବ ବୋଲି ସେ ପ୍ରକାଶ କରିଛନ୍ତି।
ୟୁକ୍ରେନ୍‌ରେ ମସ୍କୋର ଆକ୍ରମଣ ଜାରିଥିବାବେଳେ ଦକ୍ଷିଣ ରୁଷିଆରେ ଥିବା ତୈଳ ଏବଂ ଯୁଦ୍ଧାସ୍ତ୍ର ଡିପୋରେ ବୁଧବାର ସିରିଜ ବିସ୍ଫୋରଣ ହୋଇଛି। ଏହାକୁ ୟୁକ୍ରେନ୍‌ କର୍ମଫଳ ବୋଲି କହିଛି। ଏକ ଦେଶକୁ ଆକ୍ରମଣ କରି ଜନସାଧାରଣଙ୍କ ହତ୍ୟା କରିବା ସହ ସେମାନଙ୍କ ଜୀବନ ଦୁର୍ବିଷହ କଲେ ଏହାର ପରିଣାମ ଭୋଗିବାକୁ ପଡ଼ିଥାଏ ବୋଲି ୟୁକ୍ରେନ୍‌ କହିଛି। ଏହା ପୂର୍ବରୁ ୟୁକ୍ରେନ୍‌ ସୀମା ନିକଟ ରୁଷିଆର ବ୍ରିୟାନ୍‌ସ୍କ ଅଞ୍ଚଳରେ ଥିବା ଏକ ତୈଳ ଡିପୋରେ ଭୟଙ୍କର ବିସ୍ଫୋରଣ ଘଟିଥିଲା। ବେଲ୍‌ଗୋରୋଡ୍‌ରେ ଥିବା ତୈଳ ଡିପୋରେ ବିସ୍ଫୋରଣ ପାଇଁ ପୂର୍ବରୁ ରୁଷିଆ ୟୁକ୍ରେନ୍‌କୁ ଦାୟୀ କରିଥିଲା। ଅନ୍ୟପକ୍ଷରେ ୟୁକ୍ରେନ୍‌ ଯୁଦ୍ଧ ପାଇଁ ଆମେରିକା ଓ ରୁଷିଆ ସମ୍ପର୍କ ଖରାପ ହୋଇଥିଲେ ବି ଏହି ଦୁଇ ଦେଶ ପରସ୍ପର ସହ ବନ୍ଦୀ ଅଦଳବଦଳ କରିଛନ୍ତି। ବେଆଇନ ଡ୍ରଗ୍ସ ଚାଲାଣ ମାମଲାରେ ଆମେରିକା ବନ୍ଦୀ ରଖିଥିବା ରୁଷିଆର ପାଇଲଟ୍‌ କୋନଷ୍ଟାନ୍‌ଟିନ୍‌ ୟାରୋଶେଙ୍କୋଙ୍କୁ ମୁକ୍ତ କରିଛି। ବଦଳରେ ପୋଲିସ ସହ ମାର୍‌ପିଟ୍‌ କରିଥିବା ଅଭିଯୋଗରେ ରୁଷିଆରେ ବନ୍ଦୀ ଥିବା ଆମେରିକାର ପୂର୍ବତନ ମରିନ୍‌ ଟେଭୋର ରିଡ୍‌ଙ୍କୁ ମୁକୁଳାଇଛି। ତୁର୍କୀରେ ଏହି ଅଦଳବଦଳ ହୋଇଥିବା ରିଡ୍‌ଙ୍କ ବାପା ଜୋୟ ରିଡ୍‌ କହିଛନ୍ତି।

Share