Categories: ଜାତୀୟ

ନିଟ୍‌ ପିଜି କାଉନସେଲିଂ ଉପରେ ରୋକ…

ନୂଆଦିଲ୍ଲୀ,୨୫।୧୦: ଓବିସି ଏବଂ ଇଡବ୍ଲ୍ୟୁଏସ୍‌ ସଂରକ୍ଷଣ ବୈଧତା ନିଶ୍ଚିତ ନ ହେବା ପର୍ଯ୍ୟନ୍ତ ନିଟ୍‌ ପିଜି କାଉନସେଲିଂ ଉପରେ ରୋକ ଲଗାଯାଇଛି। ଏନେଇ ସୋମବାର ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶ ଜାରି କରିଛନ୍ତି। କେନ୍ଦ୍ରର ନିଷ୍ପତ୍ତି ନ ଆସିବା ପର୍ଯ୍ୟନ୍ତ କାଉନସେଲିଂ ହୋଇ ପାରିବ ନାହିଁ ବୋଲି ଶୀର୍ଷ କୋର୍ଟ କହିଛନ୍ତି।

ବରିଷ୍ଠ ଆଇନଜୀବୀ ଅରବିନ୍ଦ ବି. ଦାତାର ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠଙ୍କ ସମ୍ମୁଖରେ ଅକ୍ୱୋବର ୨୫ରେ ହେବାକୁ ଥିବା ନିଟ୍‌ ପିଜି କାଉନସେଲିଂ ଉପରେ ରୋକ ଲଗାଇବାକୁ ଯୁକ୍ତି ଦର୍ଶାଇଥିଲେ। ଅଦାଲତରେ ଏନେଇ ଶୁଣାଣି ଜାରି ରହିଥିବାବେଳେ ରୋକ ପାଇଁ ନିର୍ଦ୍ଦେଶ ଜାରି କରିବାକୁ ସେ ଅନୁରୋଧ କରିଥିଲେ। ଖଣ୍ଡପୀଠ କହିଥିଲେ ଯେ, ଯେପର୍ଯ୍ୟନ୍ତ ଫଇସଲା ନ ହୋଇଛି କାଉନସେଲିଂ ପ୍ରକ୍ରିୟା ଆରମ୍ଭ ହେବ ନାହିଁ।

ଏନେଇ ଖଣ୍ଡପୀଠ ଅତିରକ୍ତି ସୋଲିସିଟର ଜେନେରାଲ କେ.ଏମ୍‌.ନଟରାଜଙ୍କୁ କହିଛନ୍ତି ଯେ, ବିଚାର ଶେଷ ନ ହେବା ପର୍ଯ୍ୟନ୍ତ ନିଟ୍‌ ପିଜି କାଉନସେଲିଂ ବନ୍ଦ ରହୁ।

ଗତ ସପ୍ତାହରେ କୋର୍ଟ କେନ୍ଦ୍ର ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ହୋଇଥିବା ଇଡବ୍ଲ୍ୟୁଏସ୍‌ ଅନ୍ତର୍ଗତ ୮ ଲକ୍ଷ ଟଙ୍କାର ବାର୍ଷିକ ଆୟ ସୀମା ଉପରେ ସନ୍ଦେହ ପ୍ରକାଶ କରିଥିଲେ। ଏହା ସହିତ କେତେକ ସ୍ବତନ୍ତ୍ର ବିଷୟ ଉପରେ ଉତ୍ତର ଲୋଡିଥିଲେ।

ଏହା ପୂର୍ବରୁ ଗତ ସପ୍ତାହରେ ବିଚାରପତି ବିକ୍ରମ ନାଥ ଏବଂ ବି.ବି.ନାଗରତ୍ନାଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏହି ମାମଲାର ବିଚାର ଅକ୍ଟୋବର ୨୮ରେ ହେବ ବୋଲି ସୂଚନା ଦେଇଥିଲେ।

Share