ନୂଆଦିଲ୍ଲୀ,୫।୧୨: ଭାରତର ଚାମ୍ପିୟନ ବ୍ୟାଡ୍ମିଣ୍ଟନ ଖେଳାଳି ପିଭି ସିନ୍ଧୁଙ୍କୁ ପୁଣି ଥରେ ରୌପ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଛି ବିଡବ୍ଲ୍ୟୁଏଫ୍ ଓ୍ବାଲ୍ଡ ଟୁର ଫାଇନାଲ୍ସରେ। ବିଶ୍ୱ ବ୍ୟାଡ୍ମିଣ୍ଟନ ସିଜନର ଅନ୍ତିମ ଟୁର୍ନାମେଣ୍ଟର ଫାଇନାଲରେ ସିନ୍ଧୁଙ୍କୁ ହରାଇ ଦେଇଛନ୍ତି କୋରିଆର ୧୯ ବର୍ଷୀୟା ଆନ ସେୟଙ୍ଗ।
ରବିବାର ଖେଳାଯାଇଥିବା ଫାଇନାଲରେ ସିନ୍ଧୁ ୧୬-୨୧, ୧୨-୨୧ ଗେମ୍ର ସିଧାସଳଖ ବ୍ୟବଧାନରେ ପରାସ୍ତ ହୋଇଥିଲେ। ମ୍ୟାଚ୍ରେ ବିଶ୍ୱ ଚାମ୍ପିୟନ ତଥା ଦୁଇ ଥର ଅଲିମ୍ପିକ୍ ପଦକଧାରୀ ସିନ୍ଧୁ ଦ୍ୱିତୀୟ ଥର ପାଇଁ ବିଡବ୍ଲ୍ୟୁଏଫ୍ ଓ୍ବାଲ୍ଡ ଟୁର ଫାଇନାଲ୍ସରେ ଟାଇଟଲ ମ୍ୟାଚ୍ରେ ପରାସ୍ତ ହୋଇଛନ୍ତି। କୋରିଆନ ଖେଳାଳିଙ୍କ ବିରୋଧରେ ବିଶ୍ୱର ୭ମ ର଼୍ୟାଙ୍କ ଧାରୀ ସିନ୍ଧୁଙ୍କ ଲାଗି ଏହା କ୍ରମାଗତ ତୃତୀୟ ପରାଜୟ। ଅନ୍ୟପକ୍ଷରେ ବିଜୟ ସହ ପ୍ରଥମ କୋରିଆନ ଖେଳାଳି ଭାବେ ସେୟଙ୍ଗ ଏହି ସମ୍ମାନଜନକ ଟାଇଟଲ ହାସଲ କରିଛନ୍ତି।