ପିଭିଆର୍‌, ଆଇନକ୍ସର ମିଶ୍ରଣ

ନୂଆଦିଲ୍ଲୀ,୨୮।୩: ଦେଶର ପ୍ରମୁଖ ମଲ୍ଟିପ୍ଲେକ୍ସ ଇଣ୍ଡଷ୍ଟ୍ରୀ ମଧ୍ୟରେ ଏକ ବଡ଼ ଧରଣର ପରିବର୍ତ୍ତନ ହୋଇଛି। ଭାରତର ଦୁଇ ସର୍ବବୃହତ୍‌ ମଲ୍ଟିପ୍ଲେକ୍ସ ଇଣ୍ଡଷ୍ଟ୍ରୀ ପିଭିଆର୍‌ ଲିମିଟେଡ୍‌ ଏବଂ ଆଇନକ୍ସ ଲିଜର ଲିମିଟେଡ୍‌ ମଧ୍ୟରେ ମିଶ୍ରଣ ହୋଇଯାଇଛି। ରବିବାର ଉକ୍ତ ମିଶ୍ରଣ ପ୍ରସ୍ତାବକୁ ଉଭୟ କମ୍ପାନୀର ବୋର୍ଡ ପକ୍ଷରୁ ମଞ୍ଜୁରୀ ପ୍ରଦାନ କରାଯାଇଛି। ଏହି ମିଶ୍ରଣ ପରେ ଫିଲ୍ମ ଏକ୍ଜିଭିସନ୍‌ ଇଣ୍ଡଷ୍ଟ୍ରୀରେ କିଛି ନୂଆ ଏବଂ ପରିବର୍ତ୍ତନ ଦେଖିବାକୁ ମିଳିବ ବୋଲି କୁହାଯାଉଛି। ବର୍ତ୍ତମାନ ଆଇନକ୍ସ ଦେଶର ୭୨ଟି ସହରରେ ୬୭୫ଟି ସ୍କ୍ରିନ୍‌ ପରିଚାଳନା କରୁଥିବା ବେଳେ ପିଭିଆର୍‌ ୭୩ଟି ସହରରେ ୧୮୧ ସମ୍ପତ୍ତିରେ ୮୭୧ଟି ସ୍କ୍ରିନ୍‌ ଅପରେଟ୍‌ କରୁଛି। ଏହି ମିଶ୍ରଣ ଫଳରେ ଉଭୟ ପିଭିଆର୍‌ ଏବଂ ଆଇନକ୍ସ ମିଳିତ ଭାବେ ସାରା ଦେଶର ୧୦୯ଟି ସହରରେ ୩୪୧ ପ୍ରପର୍ଟିରେ ୧୫୪୬ଟି ସ୍କ୍ରିନ୍‌ ସଂଚାଳନ କରୁଥିବା ସର୍ବବୃହତ୍‌ ଫିଲ୍ମ ପ୍ରଦର୍ଶନୀ କମ୍ପାନୀ ‘ପିଭିଆର୍‌ ଆଇନକ୍ସ ଲିମିଟେଡ୍‌’ ଭାବରେ ପରିଚିତ ହେବ। ତେବେ ପିଭିଆର୍‌ ଏବଂ ଆଇନକ୍ସ ଦୁଇ କମ୍ପାନୀ ବର୍ତ୍ତମାନ ଶେୟାର ବଜାରରେ ନିଜର ଉପସ୍ଥିତି ଜାହିର୍‌ କରୁଛନ୍ତି। ଏହି ମିଶ୍ରଣ ପରେ ଉଭୟ କମ୍ପାନୀର ଶେୟାର ଅନୁପାତ ଆଇନକ୍ସର ୧୦ଟି ଶେୟରରେ ପିଭିଆର୍‌ର ୩ଟି ଶେୟାର ରହିବ। ଏହାଛଡା ମିଶ୍ରଣ ପରେ ଆଇନକ୍ସ ପ୍ରମୋଟରମାନଙ୍କ ସଂଯୁକ୍ତ ୟୁନିଟ୍‌ରେ ୧୬.୬୬% ଅଂଶଧନ ରହିବ ଏବଂ ପିଭିଆର୍‌ର ୧୦.୬୨% ଭାଗ ରହିବ। ମିଶ୍ରଣ ପରେ ଆଇନକ୍ସ ପ୍ରମୋଟରମାନେ ପିଭିଆର୍‌ର ବର୍ତ୍ତମାନର ପ୍ରମୋଟରମାନଙ୍କ ସହିତ କୋ-ପ୍ରମୋଟର ହୋଇଯିବେ। ଉଭୟ କମ୍ପାନୀ ପକ୍ଷରୁ ସ୍ବାକ୍ଷରିତ ହୋଇଥିବା ଚୁକ୍ତି ଅନୁସାରେ ପିଭିଆର୍‌ର ଏମ୍‌ଡି ଅଜୟ ବିଜ୍‌ଲିଙ୍କୁ ପିଭିଆର୍‌ ଆଇନକ୍ସ ଲିମିଟେଡ୍‌ର ଏମ୍‌ଡି ଭାବରେ ନିଯିକ୍ତ କରାଯିବାକୁ ନିଷ୍ପତ୍ତି ନିଆଯାଇଥିବା ବେଳେ ସଞ୍ଜୀବ କୁମାରଙ୍କୁ ଏକ୍‌ଜିକ୍ୟୁଟିଭ୍‌ ଦାୟିତ୍ୱ ଦିଆଯିବ। ଏଥିସହିତ ଆଇନକ୍ସ ଗ୍ରୁପ୍‌ର ଚେୟାରମ୍ୟାନ୍‌ ପବନ କୁମାର ଜୈନଙ୍କୁ ବୋର୍ଡର ନନ୍‌ ଏକ୍‌ଜିକ୍ୟୁଟିଭ ଡାଇରେକ୍ଟର ଭାବେ କାର୍ଯ୍ୟ ତୁଲାଇବେ। ଏହାଛଡା ଆଇନକ୍ସର ନିର୍ଦ୍ଦେଶକ ସିଦ୍ଧାର୍ଥ ଜୈନ ମିଶ୍ରିତ୍‌ କମ୍ପାନୀର ନନ୍‌-ଏକ୍‌ଜିକ୍ୟୁଟିଭ ନନ୍‌-ଇଣ୍ଡିପେଣ୍ଡେଣ୍ଟ ଡାଇରେକ୍ଟର ପଦରେ ରହିବେ ବୋଲି ଜଣାପଡିଛି।
ମିଶ୍ରଣ ପ୍ରକ୍ରିୟା ଦେଶର ଦୁଇ ପ୍ରମୁଖ ମଲ୍ଟିପ୍ଲେକ୍ସ ଇଣ୍ଡଷ୍ଟ୍ରୀକୁ ଏକାଠି କରିଛି ବୋଲି ପିଭିଆର୍‌ ଏମ୍‌ଡି ଅଜୟ ବିଜ୍‌ଲି କହିଛନ୍ତି।

Share