ଦୁବାଇ,୨୨।୪(ପି.ଟି.): ଦୁର୍ନୀତି ଅଭିଯୋଗରେ ୟୁନାଇଟେଡ୍ ଆରବ ଏମିରେଟ୍ସ (ୟୁଏଇ) କ୍ରିକେଟର କାଦିର ଖାଁ ସବୁ ପ୍ରକାର କ୍ରିକେଟରୁ ବାସନ୍ଦ ହୋଇଛନ୍ତି। ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ତାଙ୍କୁ ୫ ବର୍ଷ ପାଇଁ ବାସନ୍ଦ କରିଛି। ଦୁର୍ନୀତି ଆଚରଣବିଧି ଉଲ୍ଲଂଘନ କରିବା ନେଇ ସେ ସ୍ବୀକାର କରିବା ପରେ ଆଇସିସି ଏହି ନିଷ୍ପତ୍ତି ନେଇଛି ବୋଲି ଘୋଷଣା କରିଛି। ଏଥିସହିତ ୟୁଏଇର ଆଜମାନରେ ଘରୋଇ କ୍ରିକେଟ ଖେଳିଥିବା ମେହେରଦୀପ ଛାୟାକାରଙ୍କ ବିରୋଧରେ ଦୁର୍ନୀତି ନେଇ ୬ଟି ଅଭିଯୋଗ ଅଣାଯାଇଛି।
୨୦୧୯ରେ କାଦିରଙ୍କ ବିରୋଧରେ ଅଭିଯୋଗ ଆଗତ କରାଯାଇଥିଲା। କାଦିର ୬ଟି ନିୟମର ଉଲ୍ଲଂଘନ କରିବା କଥା ସ୍ବୀକାର କରିଛନ୍ତି। ୨୦୧୯ରେ ଜିମ୍ବାଓ୍ବେ- ୟୁଏଇ ସିରିଜରେ ଦୁର୍ନୀତି ପାଇଁ ବିଭିନ୍ନ ପ୍ରସ୍ତାବ ପାଇଥିଲା ଓ ସେ ଏଗୁଡିକ ସାର୍ବଜନୀନ କରି ନ ଥିଲେ। ଏହି ସିରିଜ ସମ୍ପର୍କରେ ସେ ୬ଟି ନିୟମ ଉଲ୍ଲଂଘନ କରିଥିବା ସ୍ବୀକାର କରିଛନ୍ତି। ଆଇସିସି ଦୁର୍ନୀତି ନିବାରଣ ବିଭାଗ (ଏସିୟୁ)କୁ ସେ ଏ ନେଇ କିଛି ସୂଚନା ଦେଇ ନ ଥିଲେ।