Categories: ଫୁରସତ

ମୋଦିଙ୍କ ‘ପାକିସ୍ତାନୀ ଭଉଣୀ’; ଦୀର୍ଘ ୨୮ ବର୍ଷ ହେଲାଣି ବାନ୍ଧୁଛନ୍ତି…

ସାଧାରଣତଃ ଭାରତ ଏବଂ ପାକିସ୍ତାନକୁ ପରସ୍ପରର ଶତ୍ରୁ ବୋଲି ବିବେଚନା କରାଯାଏ। ହେଲେ ଏହି ଦୁଇ ଦେଶର ଲୋକଙ୍କ ମଧ୍ୟରେ କିଛି ଏଭଳି ସମ୍ପର୍କ ରହିଛି, ଯାହା ଭିନ୍ନ କାହାଣୀ କହିଥାଏ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଜଣେ ପାକିସ୍ତାନୀ ମହିଳାଙ୍କ ମଧ୍ୟରେ ଏପରି ଏକ ସୁନ୍ଦର ସମ୍ପର୍କ ରହିଛି, ଯାହା ବିଷୟରେ ଅଧିକାଂଶ ଲୋକ ଜାଣନ୍ତି ନାହିଁ। କାରଣ ଉକ୍ତ ମହିଳା ମୋଦିଙ୍କ ‘ପାକିସ୍ତାନୀ ଭଉଣୀ’ ଭାବେ ଜଣାଶୁଣା। ସେ ହେଲେ କାମାର ମୋହସିନ ଶେଖ୍‌। ଦୀର୍ଘ ୨୮ ବର୍ଷ ଧରି ସେ ମୋଦିଙ୍କ ହାତରେ ରାଖୀ ବାନ୍ଧି ଆସୁଛନ୍ତି। କାମାର ପ୍ରତିବର୍ଷ ରାଖୀପୂର୍ଣ୍ଣିମା ଅବସରରେ ତାଙ୍କ ଭାଇ ମୋଦିଙ୍କୁ ରାଖୀ ବାନ୍ଧିଥାନ୍ତି। ଗତ ଦୁଇ ବର୍ଷ ଧରି କରୋନା ମହାମାରୀ କାରଣରୁ ସେ ପ୍ରଧାନମନ୍ତ୍ରୀଙ୍କ ହାତରେ ରାଖୀ ବାନ୍ଧି ପାରି ନ ଥିଲେ। ହେଲେ ସେ ପୋଷ୍ଟ ଜରିଆରେ ରାଖୀ ପଠାଇଥିଲେ।

କାମାରଙ୍କ ଜନ୍ମ ପାକିସ୍ତାନର ହୋଇଥିଲେ ସେ ଭାରତର ମୋହସିନ ଶେଖଙ୍କୁ ବିବାହ କରିଛନ୍ତି। ମୋହସିନ ଏବଂ ମୋଦି ପରସ୍ପରର ବହୁତ ଭଲ ବନ୍ଧୁ ଥିଲେ। ବନ୍ଧୁଙ୍କ ବିବାହ ପରେ ମୋଦି କାମାରଙ୍କୁ ଦିଲ୍ଲୀରେ ପ୍ରଥମ ଥର ଭେଟିଥିଲେ। ମୋଦି ସେତେବେଳେ କେବଳ ଭାଜପାର ସାଧାରଣ ସମ୍ପାଦକ ଥିଲେ। ସେଠାରେ କାମାରଙ୍କ ଘର କରାଚିରେ ହୋଇଥିବା ଏବଂ ସେ ଭାରତରେ ବିବାହ କରିଥିବା ମୋଦି ଜାଣିବାକୁ ପାଇଥିଲେ। ଏହାପରେ ମୋଦି ତାଙ୍କୁ ଭଉଣୀ ବୋଲି ସମ୍ବୋଧୀତ କରିଥିଲେ। ପିଲାବେଳୁ କାମାରଙ୍କ କୌଣସି ଭାଇ ନ ଥିଲା। ଏଣୁ ସେ ଦୁଇ ତିନି ବର୍ଷ ପରେ ପୁଣି ଦିଲ୍ଲୀ ଆସି ରାଖୀପୂର୍ଣ୍ଣିମାରେ ମୋଦିଙ୍କୁ ରାଖୀ ବାନ୍ଧିଥିଲେ। ମୋଦି ମଧ୍ୟ ଖୁସିରେ ହାତକୁ ବଢ଼ାଇ ଦେଇଥିଲେ। ସେବେଠାରୁ ସେ ମୋଦିଙ୍କୁ ପ୍ରତିବର୍ଷ ରାଖୀ ବାନ୍ଧୁଛନ୍ତି। ହେଲେ କରୋନା କାରଣରୁ ସେ ରାଖୀ ବାନ୍ଧିବା ଲାଗି ଦିଲ୍ଲୀ ଯାଇପାରି ନ ଥିଲେ। ଚଳିତ ବର୍ଷ କିନ୍ତୁ ସେ ନିଶ୍ଚିତ ଭାବେ ମୋଦିଙ୍କ ପାଖକୁ ଯିବେ ବୋଲି ଜଣାପଡ଼ିଛି।

Share