ଦୁବାଇ,୧୫।୨ : ବିଶ୍ୱକପ୍ ଫୁଟ୍ବଲ ମ୍ୟାଚ୍ ପାଇଁ କାତାର ଗତବର୍ଷ ନିର୍ମାଣ କରିଥିବା ୧୦ ହଜାର କ୍ୟାବିନ୍ ଏବଂ କାରାଭାନ୍କୁ ତୁର୍କୀ ଭୂକମ୍ପ ବିପନ୍ନଙ୍କୁ ପ୍ରଦାନ କରିବ। ଗ୍ୟାସ୍ ସମୃଦ୍ଧ ଏହି ଉପସାଗରୀୟ ଦେଶ ନିଜର ଯୋଜନା ସମ୍ପର୍କରେ ଘୋଷଣା କରିଛି। ପ୍ରଳୟଙ୍କର ଭୂକମ୍ପରେ ବାସହରା ହୋଇଥିବା ତୁର୍କୀ ଲୋକମାନଙ୍କ ପାଇଁ ଆଶ୍ରୟ ସବୁଠୁ ବଡ଼ ଆବଶ୍ୟକତା। ସେଥିପାଇଁ ରବିବାର ପ୍ରଥମ ବ୍ୟାଚ୍ରେ ୩୫୦ଟି ଭ୍ରାମ୍ୟମାଣ ଘର ପଠାଯାଇଥିବା କାତାର କହିଛି। ଅନ୍ୟ ଉପସାଗରୀୟ ରାଷ୍ଟ୍ର ମଧ୍ୟରୁ ୟୁନାଇଟେଡ୍ ଆରବ ଏମିରେଟ୍ସ (ୟୁଏଇ) ୧୦୦ ନିୟୁତ ଡଲାର ରିଲିଫ୍ ସହାୟତା ଯୋଗାଇଦେବାକୁ ଘୋଷଣା କରିଥିବାବେଳେ ସାଉଦି ଆରବ ୮ଟି ବିମାନରେ ତୁର୍କୀ ଓ ସିରିଆକୁ ରିଲିଫ୍ ସାମଗ୍ରୀ ପଠାଇଛି।