୮ ପୂର୍ବତନ ଭାରତୀୟ ନୌସେନାଙ୍କ ମୃତ୍ୟୁଦଣ୍ଡ ସ୍ଥଗିତ, ଭାରତ ସରକାରଙ୍କ ଅପିଲ ପରେ ମିଳିଲା ଆଶ୍ୱସ୍ତି

ଦୋହା,୨୮।୧୨: କତାରରେ ମୃତ୍ୟୁଦଣ୍ଡ ପାଇଥିବା  ୮ ଜଣ ପୂର୍ବତନ ଭାରତୀୟ ନୌସେନା ଗୁରୁବାର ଏକ ବଡ଼ ଆଶ୍ୱସ୍ତି ପାଇଛନ୍ତି। ଭାରତ ସରକାରଙ୍କ ଅପିଲ ପରେ ସମସ୍ତ ୮ ଜଣଙ୍କ ମୃତ୍ୟୁଦଣ୍ଡ ଉପରେ ରୋକ ଲଗାଯାଇଛି। ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ, ଏହି ପ୍ରସଙ୍ଗକୁ ନେଇ କତାରସ୍ଥିତ କୋର୍ଟରେ ଶୁଣାଣି ହୋଇଥିଲା। ଶୁଣାଣି ସମୟରେ କୋର୍ଟ ଏହି ଦଣ୍ଡକୁ ହ୍ରାସ କରିଦେଇଛନ୍ତି।

ବୈଦେଶିକ ମନ୍ତ୍ରଣାଳୟ କହିଛି, ବିସ୍ତୃତ ନିଷ୍ପତ୍ତିର ଏକ କପିକୁ ଅପେକ୍ଷା କରାଯାଇଛି। ଆମର ଆଇନଗତ ଦଳ ପରବର୍ତ୍ତୀ ପଦକ୍ଷେପ ବିଷୟରେ ୮ ଜଣ ଭାରତୀୟଙ୍କ ପରିବାର ସହିତ ଯୋଗାଯୋଗରେ ଅଛନ୍ତି। ଶୁଣାଣି ସମୟରେ ରାଷ୍ଟ୍ରଦୂତ ଓ ଅଧିକାରୀମାନେ କୋର୍ଟରେ ଉପସ୍ଥିତ ଥିଲେ।

ମନ୍ତ୍ରଣାଳୟ ଆହୁରି କହିଛି , ଆମେ ଆରମ୍ଭରୁ ୮ ଭାରତୀୟ ନୌସେନାଙ୍କ ପରିବାର ସହିତ ଛିଡା ହୋଇଛୁ। ବିଷୟର ସମ୍ବେଦନଶୀଳତାକୁ ବିଚାରକୁ ନେଇ, ଏହା ବିଷୟରେ ଅଧିକ କହିବା ଆମ ପାଇଁ ଠିକ୍‌ ହେବ ନାହିଁ । ଆମେ କ୍ରମାଗତ ଭାବରେ କତାର ପ୍ରଶାସନ ସହିତ ଏହି ପ୍ରସଙ୍ଗ ଉଠାଉଛୁ ଏବଂ ଜାରି ରଖିବୁ।

Share