ବିହାରର ସରନ ଜିଲାରେ ୧୫ ବର୍ଷର ବାଳକ କ୍ରିଷ୍ଣ କୁମାର ବା ଗୋଲୁ ପାକସ୍ଥଳୀରେ ଯନ୍ତ୍ରଣା ଅନୁଭବ କରିବାରୁ ପରିବାର ଲୋକେ ତାଙ୍କୁ ଧର୍ମବାଗି ବଜାରରେ ଥିବା ଏକ ଘରୋଇ କ୍ଲିନିକ୍କୁ ନେଇଯାଇଥିଲେ। ସେଠାରେ ଡାକ୍ତରୀ ପାଠ ପଢ଼ି ନ ଥିବା ଅଜିତ କୁମାର ପୁରୀ ଗୋଲୁଙ୍କ ପରୀକ୍ଷା କରି ଜାଣିପାରିଲେ ଯେ ତାଙ୍କ ଗଲ୍ ବ୍ଲାଡର ବା ପିତ୍ତକୋଷରେ ପଥର ରହିଛି। ସେ ତାହାକୁ ଅସ୍ତ୍ରୋପଚାର କରି ବାହାର କରିଦେବାକୁ ଚିନ୍ତା କଲେ। ଅସ୍ତ୍ରୋପଚାରକୁ କେହି ଯେମିତି ଜାଣିପାରିବେ ନାହିଁ ଗୋଲୁଙ୍କ ଜେଜେଙ୍କୁ ଅଜିତ ବଜାରରୁ ଡିଜେଲ ଆଣିବା ଲାଗି କହିଥିଲେ। ତା’ ପରେ କ୍ୱାକ୍ ଅଜିତ ୟୁଟ୍ୟୁବ୍ର ଏକ ଭିଡିଓ ଦେଖି ଗୋଲୁଙ୍କ ଅସ୍ତ୍ରୋପଚାର କରିଥିଲେ। ଅସ୍ତ୍ରୋପଚାର ଶେଷ ହେବା ପରେ ତାଙ୍କ ଅବସ୍ଥା ଅତ୍ୟନ୍ତ ଖରାପ ହୋଇଯିବାରୁ ଗୋଲୁଙ୍କୁ ପାଟନା ହସ୍ପିଟାଲକୁ ନିଆଯାଉଥିଲା। ହେଲେ ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା। ମୃତ୍ୟୁ ପରେ ଗୋଲୁଙ୍କ ଜେଜେ କହିଛନ୍ତି, ଅଜିତ ଅସ୍ତ୍ରୋପଚାର କଥା ତାଙ୍କୁ କହି ନ ଥିଲେ। ୟୁଟ୍ୟୁବ୍ ଦେଖି ଅସ୍ତ୍ରୋପଚାର କରୁଥିବାରୁ ଜେଜେଙ୍କ ମନରେ ସନ୍ଦେହ ଜାତ ହୋଇଥିଲା ଓ ସେ ପ୍ରତିବାଦ କରିଥିଲେ। କିନ୍ତୁ ସୁଫଳ ମିଳି ନ ଥିଲା। ଇତିମଧ୍ୟରେ ସମ୍ପୃକ୍ତ କ୍ୱାକ୍ଙ୍କୁ ଗିରଫ କରାଯାଇଛି। ଏହି ଘଟଣାକୁ ଦେଖିଲେ ଅଜିତ ଅସ୍ତ୍ରୋପଚାର କ୍ଷେତ୍ରରେ ତାଙ୍କ ପ୍ରଥମ ଅଭିଜ୍ଞତା ପାଇବା ପାଇଁ ସମ୍ଭବତଃ ୟୁଟ୍ୟୁବ୍ ସାହାରା ନେଇଛନ୍ତି। ଯେତେବେଳେ ସ୍ଥିତି ଅସମ୍ଭାଳ ହୋଇପଡ଼ିଲା, ସେ ଘାବରେଇ ଗଲେ। ଉଲ୍ଲେଖଯୋଗ୍ୟ ଯେ, ୟୁଟ୍ୟୁବ୍ରେ ମିଳୁଥିବା ସବୁ ଭିଡିଓରୁ ଠିକ୍ ତଥ୍ୟ ମିଳି ନ ଥାଏ। ଡାକ୍ତରୀ ଯୋଗ୍ୟତା ହାସଲ କରିଥିବା ବ୍ୟକ୍ତି ଅସ୍ତ୍ରୋପଚାର କରିବା ବେଳେ ସର୍ବାଧିକ ସତର୍କତା ଅବଲମ୍ବନ କରି ରୋଗୀଙ୍କ ଜୀବନ ବଞ୍ଚାଇ ଥାଆନ୍ତି। ୟୁଟ୍ୟୁବ୍ ଦେଖି ଅସ୍ତ୍ରୋପଚାର କରାଯାଉଥିବା ବିଷୟ ଶୁଣିଲା ବେଳକୁ ଆଶ୍ଚର୍ଯ୍ୟ ଲାଗୁଛି।
କେବଳ ବିହାରର ସରନ ଅଞ୍ଚଳ ନୁହେଁ, ଓଡ଼ିଶା ସମେତ ଦେଶର ବିଭିନ୍ନ ପ୍ରାନ୍ତରେ କ୍ୱାକ୍ଙ୍କ ଦ୍ୱାରା ଅନେକ ରୋଗୀ ଠକାମିର ଶିକାର ହେଉଥିବା ବେଳେ ସେମାନଙ୍କ ମଧ୍ୟରୁ କେତେକଙ୍କ ପ୍ରାଣହାନି ଘଟୁଥିବା ଖବର ବାରମ୍ବାର ଶୁଣିବାକୁ ମିଳୁଛି। ନିକଟରେ ବଳାଙ୍ଗୀର ଜିଲା ସିନ୍ଧିକେଲା ଅଞ୍ଚଳରେ ଜଣେ ବାଳିକାଙ୍କ ଖପୁରିରେ କ୍ୱାକ୍ ଜଣଙ୍କ ୨୨ଟି ଛୁଞ୍ଚତ୍ ଫୋଡ଼ାଇ ରଖିଥିଲେ। ଫଳରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିଯାଇଥିଲା। ପରେ ତାଙ୍କୁ ଭୀମଭୋଇ ମେଡିକାଲ କଲେଜ ଆଣ୍ଡ୍ ହସ୍ପିଟାଲରେ ଭର୍ତ୍ତି କରାଯିବାରୁ ଖବର ପଦାକୁ ଆସିଥିଲା। ଏଭଳି ଘଟଣା ବାରମ୍ବାର ଘଟୁଥିଲେ ମଧ୍ୟ କ୍ୱାକ୍ ଚିକିତ୍ସା ବନ୍ଦ କରାଯାଇପାରୁ ନାହିଁ। ୨୦୦୮ ମସିହାରେ ଦେଶରେ ବଡ଼ ଧରଣର କିଡ୍ନୀ ର଼୍ୟାକେଟ ଧରାପଡ଼ିଥିଲା। ନୂଆଦିଲ୍ଲୀ ନିକଟ ଗୁରଗାଓଁରେ ଠାବ କରାଯାଇଥିବା ଉକ୍ତ ର଼୍ୟାକେଟର କିଙ୍ଗପିନ୍ ଥିଲେ ଅମିତ କୁମାର। ସେଥିରେ ଡାକ୍ତରୀ ଡିଗ୍ରୀ ନ ଥିବା ଅସଂଖ୍ୟ ବ୍ୟକ୍ତି ସମ୍ପୃକ୍ତ ଥିଲେ। ଦେଶବ୍ୟାପୀ ଆଲୋଡ଼ନ ସୃଷ୍ଟି ହେବା ପରେ କେନ୍ଦ୍ର ସରକାର ବିଧିବଦ୍ଧ ଆଇନ ଆଣିବାକୁ ଚେଷ୍ଟା କରିଥିଲେ। କ୍ୱାକ୍ ବିରୋଧୀ ବିଲ୍କୁ ନେଇ ତର୍ଜମା କରାଯାଇଥିଲା। ପରବର୍ତ୍ତୀ ସମୟରେ ଅଣାଯାଇଥିବା ଆଇନରେ ଡାକ୍ତରୀ ଡିଗ୍ରୀ ନ ଥାଇ ଯେଉଁମାନେ ପ୍ରାକ୍ଟିସ୍ କରୁଥିବାର ବୋଲି ଧରାପଡ଼ିବେ, ସେମାନଙ୍କୁ ୧ ବର୍ଷ ଜେଲ ସହ ହଜାରେ ଟଙ୍କା ଜରିମାନା ବ୍ୟବସ୍ଥା ରଖାଯାଇଥିଲା। ଏଭଳି ଭୟଙ୍କର ଅପରାଧ ପାଇଁ କମ୍ ଦଣ୍ଡାଦେଶ ଥିବାରୁ ଭାରତୀୟ ମେଡିକାଲ ସଂଘ ତାହାକୁ ବିରୋଧ କରିଥିଲା। ଅନୁରୂପ ଭାବେ ଓଡ଼ିଶା ହାଇକୋର୍ଟ ରାଜ୍ୟର ପ୍ରତି ଜିଲାରେ କ୍ୱାକ୍ ବିରୋଧୀ ସେଲ୍ ଗଠନ କରିବା ଲାଗି ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସରକାର ଜିଲାଓ୍ବାରୀ ସେଲ୍ ଗଠନ କରିଥିଲେ ମଧ୍ୟ ତାହାର ସୁଫଳ ମିଳିପାରୁ ନାହିଁ।
ଦେଖିବାକୁ ଗଲେ ସରକାର ହୁଅନ୍ତୁ କିମ୍ବା ଆଇନ ଦ୍ୱାରା ଏଭଳି ବେଆଇନ କାର୍ଯ୍ୟକୁ ରୋକିବା କଷ୍ଟକର। ତେଣୁ ଜନସାଧାରଣ ସଚେତନ ହେବା ଦରକାର। ଅନେକ ସମୟରେ ସରକାରୀ ବିଜ୍ଞାପନ ମାଧ୍ୟମରେ କ୍ୱାକ୍ଙ୍କଠାରୁ ଦୂରେଇ ରହିବା ପାଇଁ କୁହାଯାଉଛି। ଦେଶର ଅପହଞ୍ଚ ଇଲାକାରେ ଯେ ଏସବୁ ଘଟୁଛି ତାହା ନୁହେଁ, ଡାକ୍ତରୀ ସୁବିଧା ଥିବା ଅଞ୍ଚଳରେ ମଧ୍ୟ କିଛି ଲୋକ ନିକଟସ୍ଥ କ୍ୱାକଙ୍କ ପାଖକୁ ଚାଲିଯାଉଛନ୍ତି। ଫଳରେ ସେମାନେ ରୋଗୀଙ୍କ ପାଇଁ କାଳ ସାଜୁଛନ୍ତି। ଏଭଳି ସ୍ଥଳେ ବ୍ୟାପକ ସଚେତନତା ସୃଷ୍ଟି କରାଯାଇ ଲୋକେ କିଭଳି କ୍ୱାକ୍ଙ୍କଠାରୁ ଦୂରେଇ ରହିବେ ସେଦିଗରେ ସଘନ ପ୍ରୟାସ ହେଉ। ନ ହେଲେ ଡିଗ୍ରୀବିହୀନ ଠକ ଡାକ୍ତରଙ୍କ ସଂଖ୍ୟା ବଢ଼ିଚାଲୁଥିବ।