ଟୋକିଓ,୨୪।୫: ଭାରତ -ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଶାନ୍ତି ପାଇଁ କ୍ୱାର୍ଡର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଟୋକିଓରେ ଅନୁଷ୍ଠିତ କ୍ୱାର୍ଡ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଭଳି କହିଛନ୍ତି। କୋଭିଡ-୧୯ ଭଳି ବିପରୀତ ପରିସ୍ଥିତି ସତ୍ତ୍ୱେ ଭାରତ ଟିକା ବିତରଣ, ଜଳବାୟୁ, ବିପର୍ଯ୍ୟୟ ପରିଚାଳନା ଓ ଆର୍ଥିକ ସହଯୋଗ ଭଳି ପ୍ରସଙ୍ଗରେ ସମନ୍ବୟ ରକ୍ଷା କରିଛି ବୋଲି ମୋଦି କହିଛନ୍ତି।
ଜାପାନର ଟୋକିଓରେ ମଙ୍ଗଳବାର ବସିଛି କ୍ୱାର୍ଡ ସମ୍ମିଳନୀ। କ୍ୱାର୍ଡର ଏହା ଚତୁର୍ଥ ବୈଠକ। ସମ୍ମିଳନୀରେ ଭାରତ -ପ୍ରଶାନ୍ତ ମହାସାଗର ଅଞ୍ଚଳରେ ଶାନ୍ତି, ସମୃଦ୍ଧି ଏବଂ ସ୍ଥିରତା ନେଇ ସକାରାତ୍ମକ ଏବଂ ଗଠନମୂଳକ ଏଜେଣ୍ଡା ଲାଗୁ କରିବା ନେଇ ଆଲୋଚନା ହୋଇଛି। ବିଶେଷ ଭାବେ ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ କେତେ ପ୍ରଗତି ହୋଇଛି ଏବଂ ଭବିଷ୍ୟତରେ କି କି ପଦକ୍ଷେପ ନିଆଯିବ ସେନେଇ ମଧ୍ୟ ଆଲୋଚନା ହୋଇଛି। ଭାରତ-ପ୍ରଶାନ୍ତ ମହାସାଗରରେ ଶାନ୍ତି, କଲ୍ୟାଣ ଏବଂ ସ୍ଥିରତା ବୃଦ୍ଧି ପାଇଁ ଗୋଷ୍ଠୀର ଭୂମିକାକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି।