ଭୁଶୁଡ଼ିପଡ଼ୁଛି ଗୁଣାତ୍ମକ ଶିକ୍ଷା ବ୍ୟବସ୍ଥା

ନବରଙ୍ଗପୁର,୩।୯(ସଦାଶିବ ପ୍ରହରାଜ)ନବରଙ୍ଗପୁର କେନ୍ଦ୍ରୀୟ ବିଦ୍ୟାଳୟରେ ଶିକ୍ଷକ ଅଭାବରୁ ପାଠପଢ଼ାରେ ବ୍ୟାଘାତ ସୃଷ୍ଟି ହେଉଛି। ପ୍ରଥମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ ୧ ହଜାର ଛାତ୍ରୀଛାତ୍ର ଅଧ୍ୟୟନ କରୁଥିବାବେଳେ ଅଧ୍ୟକ୍ଷ ପଦବୀ ପ୍ରାୟ ୧ ବର୍ଷରୁ ଊର୍ଦ୍ଧ୍ୱ ହେବ ଖାଲି ପଡିଛି। ମୋଟ ୩୨ ଶିକ୍ଷକ ପଦବୀ ମଧ୍ୟରୁ ୧୬ ଟି ଖାଲି ପଡ଼ିଛି। ନିକଟରେ ଏକାଥରକେ ୬ଜଣ ଶିକ୍ଷକଙ୍କର ରାଜ୍ୟ ବାହାରକୁ ବଦଳି ହୋଇଛି। ସେହି ସ୍ଥାନରେ ଜଣଙ୍କୁ ମଧ୍ୟ ନିଯୁକ୍ତି ଦିଆଯାଇନାହିଁ। ଫଳରେ ପ୍ରାଇମେରି ଓ ସେକେଣ୍ତାରି ପିଲାଙ୍କ ଠିକ୍‌ ପାଠପଢ଼ା ହୋଇପାରୁନାହିଁ। ଏପରିକି ଦଶମ, ଏକାଦଶ ଓ ଦ୍ବାଦଶର ବୋର୍ଡ ପରୀକ୍ଷା ରହିଥିବାବେଳେ ପିଲାମାନେ ଉପଯୁକ୍ତ ଶିକ୍ଷାଦାନରୁ ବଞ୍ଚତ୍ତ ହେଉଛନ୍ତି। ଶିକ୍ଷାଦାନ ଠିକ୍‌ ଭାବେ ହେଉ ନ ଥିବାରୁ ବହୁ ପିଲା ନିୟମିତ ଭାବେ ବିଦ୍ୟାଳୟ ଯାଉନାହାନ୍ତି, ଯାହାକି ଚିନ୍ତାର ବିଷୟ ହୋଇଛି। ଶିକ୍ଷକ ଅଭାବ ଯୋଗୁ ବିଭିନ୍ନ ପାଠ୍ୟକ୍ରମ ଅନୁଯାୟୀ ଠିକ୍‌ ଭାବରେ ପାଠପଢା ହୋଇପାରୁନାହିଁ। କେତେକ ଶ୍ରେଣୀରେ ଦିନକୁ ମାତ୍ର ଗୋଟିଏ ଦୁଇଟି କ୍ଲାସ୍‌ ହେଉଥିବାନେଇ ଛାତ୍ରୀଛାତ୍ର ଓ ଅଭିଭାବକମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରୁଥିବାରୁ ବିଦ୍ୟାଳୟ ପରିଚାଳନା କମିଟି ବୈଠକରେ ଉଦ୍‌ବେଗ ପ୍ରକାଶ ପାଇଥିଲା।
ବିଦ୍ୟାଳୟରେ ଅଧ୍ୟକ୍ଷ, ପିଜିଟି ଗଣିତ, ପିଜିଟି ବାୟୋଲୋଜି, ପିଜିଟି ହିନ୍ଦୀ, ପିଜିଟି କେମେଷ୍ଟ୍ରି, ଟିଜିଟି ହିନ୍ଦୀ, ଟିଜିଟି ସଂସ୍କୃତ, ଟିଜିଟି ଇଂଲିଶ, ଟିଜିଟି ଗଣିତ, ଟିଜିଟି ପିଏଚ୍‌ଇ, ଟିଜିଟି ଡବ୍ଲ୍ୟୁଇ, ଟିଜିଟି ଲାଇବ୍ରେରି, ପିଆର୍‌ଟି ମ୍ୟୁଜିକ, ଏସ୍‌ଏସ୍‌ଏ ଜଣେ, ଜେଏସ୍‌ଏ ଜଣେ ପିଆର୍‌ଟି ୩ ଜଣ ଓ ଅନ୍ୟାନ୍ୟ ଷ୍ଟାଫ ୬ ଏହିପରି ବିଦ୍ୟାଳୟରେ ମୋଟ ୨୫ କର୍ମଚାରୀ ପଦବୀ ଖାଲି ପଡ଼ିଛି। ସେଥିମଧ୍ୟରୁ କେବଳ ୧୬ ଶିକ୍ଷକ ପଦବୀ ଖାଲି ପଡ଼ିଛି। ଶିକ୍ଷା ବିଭାଗ ଠିକାରେ ଶିକ୍ଷକ ନିଯୁକ୍ତି କରିବା ପାଇଁ କହୁଥିବାବେଳେ ଏବେ ବର୍ଷ ଅଧାରେ ନବରଙ୍ଗପୁରକୁ ଆସିବାକୁ ସେମାନେ ଅନିଚ୍ଛା ପ୍ରକାଶ କରୁଛନ୍ତି ବୋଲି ଜଣାପଡ଼ିଛି। ଜଣେ ଶିକ୍ଷକ ଅଧ୍ୟକ୍ଷ ପଦ ଦାୟିତ୍ୱ ସମ୍ଭାଳୁଛନ୍ତି। ଅଧ୍ୟକ୍ଷ ଓ କିରାଣି ପଦବୀ ଖାଲିଥିବାରୁ ଭାରପ୍ରାପ୍ତ ଅଧ୍ୟକ୍ଷ ସେ ସମସ୍ତ କାମ କରୁଛନ୍ତି। ଅଫିସର ସମସ୍ତ କାମ ସହ ଦୈନିକ ୪ଟି ଶ୍ରେଣୀରେ ପାଠ ପଢ଼ାଉଥିବାରୁ ବିଦ୍ୟାଳୟ ପରିଚାଳନାରେ ବାଧା ସୃଷ୍ଟି ହେଉଛି। ଶିକ୍ଷକ ଅଭାବରୁ ବିଦ୍ୟାଳୟରେ ଶିକ୍ଷାଦାନ ଓ କାର୍ଯ୍ୟାଳୟର ଏକମାତ୍ର କିରାଣିଙ୍କୁ ବଦଳି କରାଯାଇଥିବରୁ ଅଫିସ କାର୍ଯ୍ୟରେ ବହୁ ଚାପ ପଡୁଥିବା ଭାରପ୍ରାପ୍ତ ଅଧ୍ୟକ୍ଷ କମିଟି ବୈଠକରେ ପ୍ରକାଶ କରିଛନ୍ତି। ଅନ୍ୟ ଦିଗରେ ବିଦ୍ୟାଳୟର ଖାଲିଥିବା ପଦବୀ ପୂରଣ କରିବା ପାଇଁ ଏମ୍‌ପି ରମେଶ ଚନ୍ଦ୍ର ମାଝି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଚିଠି ଲେଖି ନିବେଦନ କରିଛନ୍ତି।

Share